ପୁରୀ, ଜୁଲାଇ ୧ରେ ପବିତ୍ର ଶ୍ରୀଗୁଣ୍ଡିଚାଯାତ୍ରା । ଏଥର ଭକ୍ତଯୁକ୍ତ ରଥଯାତ୍ରା । ସ୍ନାନପୂର୍ଣ୍ଣମୀ ଦିନ ଅଧିକ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିବେ । ଏଥିପାଇଁ ଅଧିକ ଯାତ୍ରୀ ପୁରୀ ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଆଜି ଏସପିଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଡ଼ିଜି (ଆଇନ ଶୃଙ୍ଖଳା ) ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଜନଗହଳି ନିୟନ୍ତ୍ରଣ କରିବା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ରଥଟଣା, ଟ୍ରାଫିକ ପରିଚାଳନା, ଭିଆଇପିଙ୍କ ଦର୍ଶନ ଓ ସୁରକ୍ଷା, ସିସିଟିଭି କାର୍ଯ୍ୟ, ବେଳାଭୂମିରେ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାସହ ଗୁଣ୍ଡିଚାଯାତ୍ରା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଅଧିକ ସଂଖ୍ୟକ ପୋଲିସ ମୁତୟନ ହେବେ । ମନ୍ଦିର ଭିତର ଓ ବାହାର,ସହର ଭିତର ଓ ବାହାର, ସମୁଦ୍ରକୂଳ, ସହରର ପ୍ରବେଶ ପଥରେ ପୋଲିସ ଜଗି ରହିବେ । ଯାନବାହାନ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ରୁଟ୍ ଚାଟ କରାଯିବ । ଭକ୍ତମାନେ ଶୃଙ୍ଖଳିତ ଦର୍ଶନ, ରଥଟାଣିବା ସହ କିପରି ସୁବିଧାରେ ଫେରିବେ ସେ ସମ୍ପର୍କରେ ଆଲୋଚାନା ହୋଇଥିଲା । ୩ ଜଣ ଆଇଜି, ୩ ଜଣ ଡ଼ିଆଜି, ଏସପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ଵରେ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରାଯିବ । ସିସିଟିଭିରୁ ସହରର ଗହଳିକୁ ନିୟନ୍ତ୍ରଣ କରାଯିବ । ସହରର ବିଭିନ୍ନ ସ୍ଥାନରେ ସାଧାପୋଷାକଧାରୀ ପୋଲିସ ପଇଁତରା ମାରିବେ । ଡ଼ଗସ୍କ୍ବାର୍ଡ଼ ଓ ବମ୍ ସ୍କ୍ବାର୍ଡ଼ ସହରର ବିଭିନ୍ନ ସନ୍ଦେହଜନକ ସ୍ଥାନରେ କାର୍ଯ୍ୟ କରିବେ । ସମୁଦ୍ରକୂଳେ ହାଇପାୱାର ବାଇନାକୁଳରେ ନିରିକ୍ଷଣ କରାଯିବ । ବଡ଼ଦାଣ୍ଡର ଦୁଇପାର୍ଶ୍ଵରେ ଉଚ୍ଚ କୋଠାରେ ପୋଲିସ ତୀକ୍ଷ୍ମ ନଜର ରଖିବ । ସନ୍ଦେହଜନକ ବ୍ୟକ୍ତିଙ୍କ ସମ୍ପର୍କରେ ଖବର ପାଇଲେ ପୋଲିସ ତତକ୍ଷଣାତ ସେଠାରେ ପହଂଚିବ ।
ପୁରୀର ପ୍ରବେଶପଥ ମଙ୍ଗଳାଘାଟ, ବାଲିଘାଟ, ଅଠରନଳାଘାଟ, ହରେକୃଷ୍ଣପୁର ଛକ ଓ ନୂଆନଇ ଛକରେ ସ୍ଵତନ୍ତ୍ର ଚେକିଂ ବ୍ୟବସ୍ଥା କରାଯିବ । ସହରର ବିଭିନ୍ନ ଛକ ସ୍ଥାନରେ ପୋଲିସ ଜଗି ରହିବ ।
ଏହି ବୈଠକରେ ଆଇଜି ଅମିତାଭ ଠାକୁର, ସତ୍ୟବ୍ରତ ଭୋଇ, ଆଇଜିପି (ଅପରାଧ) ନରସିଂହ ଭୋଳ, ଏସପି ଡ଼ଃ କେ. ବିଶାଲ ସିଂହ, ଆଇଜିପି ମୁଖ୍ୟାଳୟ ଏସ.ଦେବଦତ ସିଂହ, ଡ଼ିଆଇଜିପି (ଏସଟିଏଫ) ଜେ.ଏନ.ପଙ୍କଜ, ଅନିରୁଦ୍ଧ କୁମାର ସିଂହ ,ଏସପି ଡ଼ଃ ଉମାଶଙ୍କର ଦାଶ,ଆଡ଼ସିନାଲ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶ୍ରୀମନ୍ଦିର ଡ଼େପୁଟି କମାଣ୍ଡାଟ କେ,କେ ନାୟକ,ଆଡ଼ସିନାଲ ଏସପି ମିହିର ପଣ୍ଡାଙ୍କ ସମେତ ରାଜ୍ୟ ଓ ଜିଲ୍ଲାର ଅନେକ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ ।