
ପୁରୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ପୀଠରେ ଆଜି ଠାରୁ ଶ୍ରୀ ଅଲାରନାଥଙ୍କ ଅଣସର ବେଶ ଦର୍ଶନ ଆରମ୍ଭ ହୋଇଛି । ଅଣସର ସମୟରେ ଭକ୍ତ ମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ନପାଇ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ବିଶ୍ଵାସ ରହିଛି, ବର୍ଷକ ଯାକ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଭକ୍ତଙ୍କୁ ଯେତିକି ପୂର୍ଣ୍ଣ୍ୟ ଫଳ ମିଳିଥାଏ । ଅନ୍ନବସର ସମୟରେ ଗୋଟିଏ ଦିନ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ସମାନ ପୂର୍ଣ୍ଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଅନ୍ନବସର ସମୟରେ ଶ୍ରୀ ଅଲାରନାଥଙ୍କ ପ୍ରତିଦିନ ବିଭିନ୍ନ ଅଣସର ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀ ଅଲାରନାଥଙ୍କ ପ୍ରିୟ ଭୋଗ ମଧ୍ୟରେ କ୍ଷିରୀ ଅନ୍ୟତମ । ସତ୍ୟ ଯୁଗରେ ବ୍ରହ୍ମା ଏହି ସ୍ଥାନରେ ଧ୍ୟାନ କରିଥିବାରୁ ଏହାର ନାମ ବ୍ରହ୍ମଗିରି ହୋଇଛି । ଦକ୍ଷିଣ ଭାରତୀୟ ଆଲବର ଭକ୍ତ ମାନେ ଏହି ସ୍ଥାନରେ ବିଷ୍ଣୁ ପୂଜା କରୁଥିବାରୁ ଶ୍ରୀ ଅଲାରନାଥଙ୍କ ନାମ ପୂର୍ବରୁ ଅଲବରନାଥ ରହିଥିବା କୁହାଯାଉଛି । ଶ୍ରୀ ଚୈତନ୍ୟ ଅଣସର ସମୟରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନପାଇ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବା ସହ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ଯାହାର ନିଦର୍ଶନ ସ୍ଵରୂପ ଏଠାରେ ଏହି ପ୍ରଣିପାତ ପଥର ଏବେ ପୂଜା ପାଉଛି । ଏହାସହ ଚୈତନ୍ୟ ମନ୍ଦିର ରହିଥିବାରୁ ଆନ୍ତର୍ଜାତିକ କୃଷ୍ଣପ୍ରେମୀ ମାନେ ଏହି ମନ୍ଦିରକୁ ଆସୁଥିବା ଦେଖାଯାଇଛି ।
ମନ୍ଦିର ଟ୍ରଷ୍ଟ ବୋର୍ଡ଼, ବ୍ରହ୍ମଗିରି ଥାନା ଓ ବ୍ଲକ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ବ୍ୟାବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ନିମନ୍ତେ ପିଇବା ପାଣି, ଗାଡି ପାର୍କିଂ ଓ ଛାୟା ପାଇଁ ଛାମୁଣ୍ଡିଆ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଶ୍ରୀ ଅଲାରନାଥଙ୍କ ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଲଗାଯାଇଛି । ଭକ୍ତଙ୍କ ସୁରକ୍ଷା ପାଇଁ ୬ ପ୍ଲାଟୁନ୍ ପୋଲିସ ଫୋର୍ସ, ୩ ଜଣ ଇନ୍ସପେକ୍ଟର, ୨୦ ଜଣ ପୋଲିସ ଅଧିକାରୀ, ୫୦ ଜଣ ହୋମଗାର୍ଡ଼, ୪ ଜଣ ଟ୍ରାଫିକ୍ ପୋଲିସ ମୁତୟନ ହୋଇଛନ୍ତି । ଆଜି ସକାଳୁ ଶ୍ରୀ ଅଲାରନାଥଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ସହ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀ ଅଲାରନାଥଙ୍କ ଏହି ଅଣସର ବେଶ ଦର୍ଶନ ନେତ୍ରୋତ୍ସବ ପର୍ଯ୍ୟନ୍ତ ଚାଲୁ ରହିବ ।