ପୁରୀ, ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଆଜି ଠାରୁ ପଟ୍ଟି ଦିଅଁ ପୂଜା ପାଉଛନ୍ତି । ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି । ଅଣସର ପିଣ୍ଡିରେ ଦଇତାପତି ସେବକ ମାନେ ଗୁପ୍ତ ସେବା ଜାରୀ ରଖିଛନ୍ତି । ଏହି ସମୟରେ ପଟ୍ଟି ଦିଅଁ ପୂଜା ପାଇବାର ପରମ୍ପରା ରହିଛି । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ଵରୀ ପଟ୍ଟି ଦିଅଁ ସ୍ଥାପନା ହେବା ସହ ପୂଜିତ ହେଉଛନ୍ତି । ନୀତି ଓ ପରମ୍ପରା ଅନୁଯାୟୀ ପଟ୍ଟି ଦିଅଁଙ୍କ ପୂଜାର୍ଚ୍ଚନା ଚାଲିଛି ।
ଜୟ ବିଜୟ ଦ୍ଵାର ନିକଟରେ ଖଟ ଉପରେ ମଦନମୋହେନ ରାମକୃଷ୍ଣ, ଶ୍ରୀଦେବୀ ଭୂଦେବୀ, ମାଧବ ଓ ଶ୍ରୀ ନୃସିଂହ ପଟ୍ଟିଦିଅଁଙ୍କ ସହ ପୂଜା ପାଉଛନ୍ତି । ଯାହାକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳାଖେଳାର ଅନ୍ୟ ଏକ ନିଦର୍ଶନ । ଅନ୍ୟପକ୍ଷରେ ଏହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଛି ।