ବଲାଙ୍ଗିର, ପାରିବାରିକ କଳହ ନେଲା ସାଂଘାତିକ ରୂପ। ନିତିଦିନିଆ କଳହରେ ଅତିଷ୍ଠ ହୋଇ ପତ୍ନୀ ବାପ ଘରକୁ ଚାଲିଯିବା ପରେ ଜୀବନ ହାରିଦେଲେ ସ୍ଵାମୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ସହର ବରପାଲିପଡାରେ ଘଟିଛି । ମୃତକ ହେଲେ ୨୮ ବର୍ଷୀୟ ଘନଶ୍ୟାମ ରାଉତ ।
ଘନଶ୍ୟାମ ଗତ ଦେଢ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର କୌଣସି ପିଲା ଛୁଆ ନାହାନ୍ତି । ଏହି ଘଟଣାକୁ ନେଇ ଘନଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ବାରମ୍ବାର ଗଣ୍ଡଗୋଳ ଲାଗିରହୁଥିଲା । ଝିଅ ଶାଶୁ ଘରେ ଖୁସି ନ ଥିବା ଖବର ପାଇ ଗତକାଲି ଘନଶ୍ୟାମଙ୍କ ଶ୍ଵଶୁର ଆସି ତାଙ୍କ ଘରେ ପହଞ୍ଚିଥିଲେ। ସେ ନିଜ ଝିଅକୁ ଘରକୁ ନେଇ ଯାଇଥିଲେ । ଏହାପରେ ମାନସିକ ଭାରସାମ୍ୟ ହରାଇ ଗତକାଲି ବିଳମ୍ବିତ ରାତିରେ ବେକରେ ଶାଢୀ ଲଗାଇ ଘରର ରେଲିଂରେ ଝୁଲିପଡିଥିଲେ ଘନଶ୍ୟାମ । ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନେଇଥିଲେ । କିନ୍ତୁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଲାଙ୍ଗିର ଟାଉନ ପୁଲିସ ଏ ସଙ୍କ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାପରେ ଆଜି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ । ତେବେ ଘନଶ୍ୟାମଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ କିମ୍ବା ଶ୍ଵଶୁର ଘର ଲୋକେ ପହଞ୍ଚି ନ ଥିବା ସୂଚନା ମିଳିଛି ।