
ବଲାଙ୍ଗିର,ପୂଣ୍ୟତୀର୍ଥ ହରିଶଙ୍କର ପୀଠରେ ମଦ ପିଇବାକୁ ବାରଣ କରିବାରୁ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନରେ କିଛି ଯୁବକ ଝରଣା କୂଳରେ ମଦ ପିଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ଝରଣା କୂଳରେ ମଦ ପିଇବାକୁ ବାରଣ କରିଥିଲେ । ଏଥିରେ ଯୁବକମାନେ ଉତ୍କ୍ଷିପ୍ତ ହୋଇ ବଚସା ହେବାସହ ଶେଷରେ ଉଭୟଙ୍କ ମଧ୍ୟରେ ଲାଠି ମାଡ଼ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିବା ବେଳେ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଅଟକାଇ ଥିଲେ । ଗୁରୁତର ଦୁଇ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ଓ ପରେ ବଲାଙ୍ଗିର ଡାକ୍ତରଖାନା ପଠାଯାଇଥିବା ଜଣାଯାଇଛି । ଏହି ଘଟଣାରେ ଉଭୟ ପକ୍ଷର ୧୦ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ହରିଶଙ୍କର ଝରଣା କୂଳରେ ଅନେକ ଅସାମାଜିକ ଯୁବକ ଖୁଲୁମ୍ ଖୁଲା ମଦ ପିଉଥିବା ବେଳେ ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ଯୋଗୁ ଅନେକ ସମୟରେ ଛୋଟ ବଡ଼ ଘଟଣା ଘଟୁଥିଲେ ହେଁ ପୋଲିସ ଚୁପ ରହୁଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି ।
ଖପ୍ରାଖୋଲ ପୋଲିସ ଗତ ୫ ତାରିଖ ସନ୍ଧ୍ୟାରେ କିଛି ମଦ୍ୟପଙ୍କୁ ଥାନାରେ ଅଟକ ରଖି ଏକ ହଜାର ଟଙ୍କା ଲେଖାଏଁ ଜରିମାନା କରି ଛାଡିଥିବା ଜଣାଯାଇଛି । ଝରଣା କୂଳରେ ଅସାମାଜିକ ମାନଙ୍କ ଦୌରତ୍ମ୍ୟ ବନ୍ଦ କରିବାକୁ ଦାବୀ ହେଉଛି । ଏଠାରେ ପ୍ରଶ୍ନ ଉଠେ ଯେ, ଖପ୍ରାଖୋଲ ପୋଲିସର ଅଣଦେଖା ଯୋଗୁ ପବିତ୍ର ହରିଶଙ୍କର ପୀଠରେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ହରିଶଙ୍କରକୁ ଆସୁଥିବା ଶ୍ରଦ୍ଧାଳୁ ବିଶେଷ କରି ମହିଳା ପର୍ଯ୍ୟଟକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ହରିଶଙ୍କର ଝରଣା କୂଳରେ ପୋଲିସ ମୁତୟନ କରିବାକୁ ପର୍ଯ୍ୟଟକମାନଙ୍କ ସହ ସର୍ବ ସାଧାରଣରେ ଦାବୀ ହେଉଛି ।