କଟକ, କଟକ ଜିଲ୍ଲା ବଡ଼ମ୍ବା ରେଞ୍ଜ୍ ଅନ୍ତର୍ଗତ ଚନ୍ଦ୍ରଗିରି ଜଙ୍ଗଲ ଜାନିପଦର ବିଟ୍ ହାଉସ୍ ଖାରୋଡ ଗାଁ ନିକଟରୁ ଆଉ ଏକ ହାତୀର କଙ୍କାଳ ଠାବ ହୋଇଛି । ଏହି ହାତୀ କଙ୍କାଳ ମିଳିବା ଘଟଣାକୁ ସ୍ଵୀକାର କରିଛନ୍ତି ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ । ଦୁଇଟି ହାତୀ କଙ୍କାଳ ଉଦ୍ଧାର ଘଟଣାର ଖୋଳତାଡ଼ ବେଳେ ଏହି ତୃତୀୟ ହାତୀ କଙ୍କାଳ ମିଳିଛି । ତଦନ୍ତର ତଥ୍ୟ ଆଧାରରେ ଆଉ ଏକ କଙ୍କାଳ ମିଳିଥିବା କହିଛନ୍ତି ଡିଏଫଓ ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଉଦ୍ଧାର ହୋଇଥିବା କଙ୍କାଳଟି ଏକ ଦନ୍ତା ହାତୀର । ମାତ୍ର ଏହାର ଦାନ୍ତ ମିଳିନାହିଁ । ତେବେ ତୃତୀୟ କଙ୍କାଳ ମିଳିବା ଘଟଣାରେ ସମ୍ପୃକ୍ତଙ୍କୁ ଧରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରୀ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧୦ ଦିନ ତଳେ ଚନ୍ଦ୍ରଗିରି ଜଙ୍ଗଲରୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର ହୋଇଥିଲା । ସେହିପରି କଟକ ଜିଲ୍ଲା ନରସିଂହପୁର ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତାହାତୀ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ପ୍ରାଣ ହରାଇଥିଲା । ସାତକୋଶିଆ ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଟିମ୍ ଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ସତ୍ବେ ତା’ର ମୃତ୍ୟୁ ଘଟିଥିଲା ।