-
ବାଇକ୍ ଚାବି ଓ ମୋବାଇଲ୍ ନେଇ ପଳାଇଲେ ଲୁଟେରା
ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭୁସଲାଡ ଓ ପଳସଖଣ୍ଡ ମଝୀରେ ଥିବା ନିର୍ଜନ ସ୍ଥାନରେ ୧ ଲକ୍ଷ ୮ ହଜାର ଟଙ୍କା ଲୁଟ ହୋଇଥିବା ସିନ୍ଧେକେଲା ଥାନାରେ ଅଭିଯୋଗ ହୋଇଛି । ଘଟଣାନୁଯାୟୀ, ମଙ୍ଗଳବାର କୁଣ୍ଡାବୁଟଲା ସିଏସପି (କିଓସ୍କ ବ୍ୟାଙ୍କ) ର ମାଲିକ ଭବାନୀ ଶଙ୍କର ବେହେରା ତାଙ୍କ ସେଣ୍ଟରରେ କାମ କରୁଥିବା ଶୁସାନ୍ତ ସାହୁ ଓ ବାଦଲ ସିଂହ ଜାନୀଙ୍କୁ ଚାନ୍ଦୋତରା ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇ ଆଣିବାକୁ ପଠାଇଥିଲେ। ତେବେ ବ୍ୟାଙ୍କରୁ ଅପରାହ୍ନ ୧ ଟାରେ ୧ ଲକ୍ଷ ୮ ହଜାର ଟଙ୍କା ଉଠାଇ ନିଜ ଟିଭିଏସ ଏକ୍ସଏଲ ଲୁନା ଗାଡିରେ କୁଣ୍ଡାବୁଟଲା ଫେରୁଥିବା ସମୟରେ ଭୁସଲାଡ ଓ ପଳସଖଣ୍ଡ ମଝିରେ ପ୍ରାୟ ୧ ଟା ୩୦ ମିନିଟ ସମୟରେ ଏକ କଳା ରଙ୍ଗର ଏଚଏଫ ଡିଲକ୍ସ ବାଇକରେ ତିନିଜଣ ମୁଖା ପିନ୍ଧା ଯୁବକ ଅଟକାଇ ମାରଣାସ୍ତ୍ର ଦେଖାଇ ଧରିଥିବା ଟଙ୍କା ଦିଅ, ନ ହେଲେ ଜୀବନରେ ମାରିଦେବାର ଧମକ ଦେଇ ପକେଟରୁ ଜୋର ଜବରଦସ୍ତ ଟଙ୍କା ଛଡାଇ ନେବାସହ ଦୁଇ ଜଣ ଧରିଥିବା ଟଚସ୍କ୍ରିନ ମୋବାଇଲ ଓ ତାଙ୍କ ଗାଡି ଚାବି ମଧ୍ୟ ନେଇ ଯାଇଥିବା ସିନ୍ଧେକେଲା ଥାନାରେ ଅଭିଯୋଗ ହୋଇଛି ।
ଏହି ଲୁଟ ଘଟଣା ବିଷୟରେ ସିନ୍ଧେକେଲା ଥାନାଧିକାରି ଆଲୋକ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ମୋବାଇଲ ଫୋନ ରିସିଭ କରିନଥିବାରୁ ଘଟଣା ବିଷୟରେ ଅଧିକ ତଥ୍ଯ ମିଳିପାରି ନାହିଁ ।