-
ଝାରସୁଗୁଡ଼ାରେ ଇଆସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ ଲୋକାର୍ପିତ
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ ନୂତନ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ)ଡ଼ାକ୍ତରଖାନାକୁ ଲୋକାର୍ପଣ କରିଛନ୍ତି । ଏହାସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଝାରସଗୁଡ଼ାରେ ଇଆସଆଇର ଉପଆଂଚଳିକ କାର୍ଯ୍ୟାଳୟର ମଧ୍ୟ ଲୋକାର୍ପଣ କରାଯାଇଛି ।
ଏହି ଅବସରରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ବଳରାମପ୍ରସାଦରେ ୪.୮ ଏକର ପରିମିତ ଜମିରେ ୬୫ କୋଟି ଟଙ୍କା ବ୍ୟୟରେ ନର୍ମାଣ ହୋଇଥିବା ଏହି ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ଡ଼ାକ୍ତରଖାନାରେ ଚିକିତ୍ସା ସେବା ଆରମ୍ଭ ହେବ । ଅନୁଗୋଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦର ଯାଦବ ଏବଂ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲିଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।
ସେ କହିଛନ୍ତି ଯେ ଏହି ଡ଼ାକ୍ତରଖାନା ଫଳରେ ଅନୁଗୋଳର ୭୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ ଉପକୃତ ହୋଇପାରିବେ । ଏହି ଅତ୍ୟାଧୁନିକ ଡ଼ାକ୍ତରଖାନାରେ ବିଭିନ୍ନ ବିଭାଗ ରହିବା ସହ ରୋଗୀଙ୍କୁ ଉନ୍ନତ ସେବା ମିଳିପାରିବ ।
ସେ କହିଛନ୍ତି ଯେ ଓପିଡ଼ି, ରେର୍ଡ଼ିଓଲୋଜି, ମେଡ଼ିସିନ, ନ୍ୟୁରୋଲୋଜି, ପେଡ଼ିଆଟ୍ରିକ, ଇଏନଟି, ଅର୍ଥପେଡ଼ିକ୍ ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲାଯାଇଛି । ସେହିପରି ରୋଗୀଙ୍କ ସୁବିଧା ପାଇଁ ଇସିଜି, ସିଟି ସ୍କାନ, ଏକ୍ସ-ରେ ପରି ଅନ୍ୟାନ୍ୟ ପରୀକ୍ଷା ଏଠାରେ ହୋଇପାରିବ ।
ସେ କହିଛନ୍ତି ଯେ ଅନୁଗୋଳର ବଅଁରପାଳରେ ପୂର୍ବରୁ ଦାତବ୍ୟ ଚିକିତ୍ସାଳୟ ରହିଥିଲା । ଏଠାରେ କେବଳ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଔଷଧ ମିଳୁଥିଲା । ରୋଗୀଙ୍କୁ ଆଡ଼ମିଟ୍ ହେବାର ସୁଯୋଗ ନଥିଲା । ଏହି ଚିକିତ୍ସାଳୟ ଉପରେ ଅନୁଗୋଳ ଓ ଢ଼େଙ୍କାନାଳର ହଜାର ହଜାର କର୍ମଚାରୀ ଓ ଶ୍ରମିକ ନିର୍ଭର କରୁଥିବା ବେଳେ ଏହି ଦାତବ୍ୟ ଚିକତ୍ସାଳୟରୁ ଯଥେଷ୍ଟ ସେବା ପାଇପାରୁନଥିଲେ । ଫଳରେ ୧୦୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା କରିବାକୁ ନିଷ୍ପତି ହୋଇଥିଲା । ଆଜି ମାଆ ହିଙ୍ଗୁଳାଙ୍କ ଆଶୀର୍ବାଦରୁ ସେହି ସ୍ୱପ୍ନ ସାକାର ହୋଇଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଭୁବନେଶ୍ୱରରେ ଥିବା ଇସଆଇସିର ଆଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ପୂର୍ବାଂଚଳରେ ଥିବା କାରଣରୁ ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା କର୍ମଚାରୀ ଏବଂ ହିତାଧିକାରୀଙ୍କୁ ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଦୂରଦୂରାନ୍ତରରୁ ଯାତ୍ରା କରିବାକୁ ପଡୁଥିଲା । ସେ କହିଛନ୍ତି ଯେ ଏଥିପାଇଁ ସେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଗତବର୍ଷ ସେପ୍େଟମ୍ବର ୨୮ ତାରିଖରେ ଝାରସୁଗୁଡ଼ାରେ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ କରିବାକୁ ପତ୍ର ଲେଖିଥିଲି ।
ସେ କହିଛନ୍ତି ଯେ ଏହି କ୍ରମରେ ଆଜି ଝାରସୁଗୁଡ଼ାରେ ପଶ୍ଚିମ ଓଡ଼ିଶାର ଇଏସଆଇ କର୍ମଚାରୀ ତଥା ଇଏସଆଇସିର ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଇଏସଆଇସି ଆଂଚଳିକ କାର୍ଯ୍ୟାଳୟ ଅନ୍ତର୍ଗତ ଝାରସୁଗୁଡ଼ା ଠାରେ ଇଆସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
ଦେଶର ଅନେକ ରାଜ୍ୟରେ ଇଏସଆଇସିର ୧ କିମ୍ବା ତଦୁର୍ଦ୍ଧ୍ୱ ଉପ ଆଂଚଳିକ କାର୍ଯ୍ୟାଳୟ ରହିଛି । କିନ୍ତୁ ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ଉପ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇନଥିଲା ।ଫଳରେ ଭୁବନେଶ୍ୱରର ଇଏସଆଇ ଆଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ପଶ୍ଚିମାଂଚଳରୁ ଅନେକ ଅଭିଯୋଗ ପତ୍ର ନିଯୁକ୍ତଦାତା ଏବଂ କର୍ମଚାରୀମାନେ ଦେଉଥିଲେ ।
ଝାରସୁଗୁଡ଼ାରେ ଇଏସଆଇର ଉପ ଆଂଚଳିକ କାର୍ଯ୍ୟାଳୟ ଦ୍ୱାରା ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲାର ପାଖାପାଖି ୨.୨ ବୀମାଭୁକ୍ତ ଲାଭ ପାଇବେ । ସେଥିମଧ୍ୟରୁ ଝାରସୁଗୁଡ଼ାରେ ବୀମାଭୃକ୍ତ ୫୪ ହଜାର ଲୋକ ଉପକୃତ ହୋଇପାରିବେ ।