ପୁରୀ, ପୁରୀ- ଭୁବନେଶ୍ଵର ୩୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ବିଭିନ୍ନ ଦୋକାନ ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ବିନା ଆଇଏସଆଇ ମାର୍କା ପାଣି ପାଉଚ୍ ଓ ପାଣି ବୋତଲ ବିକ୍ରି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ବିଶୁଦ୍ଧ ପାନୀୟ ମନେକରି ଲୋକେ ମାନେ ବ୍ୟବହାର କରୁଛନ୍ତି । ସେସବୁ ବୋତଲ ଓ ପାଉଚ୍ ପାଣି ପିଇବା ସମୟରେ ତାହା ସମୟେ ସମୟେ ପ୍ଲାଷ୍ଟିକ୍ ଗନ୍ଧ ହେଉଛି । ପାଣି ବୋତଲ ଓ ପାଉଚ୍ ରେ ମ୍ୟାନିଫ୍ୟାକଚୁରିଂ ଡେଟ୍ ଓ ଏକ୍ସପାରୀ ଡେଟ୍ ମଧ୍ୟ ଠିକ୍ ଭାବେ ଉଲ୍ଲେଖ କରାଯାଉନାହିଁ । ଫଳରେ ଏହା କେବେ ପ୍ୟାକିଂ କରାଯାଇଥିଲା ଏବଂ କେବେ ଏହାର ସମୟ ସୀମା ଅତିକ୍ରାନ୍ତ କରୁଛି ତାହା ଖାଉଟି ଜାଣିବା ମୁସ୍କିଲ୍ । ଏଥିରୁ ପାଣିର ମାନ କେତେ ଉଚ୍ଚ ମାନର ତାହା ସ୍ପଷ୍ଟ ଅନୁମେୟ । ତେବେ ଦାୟୀତ୍ଵରେ ଥିବା ସ୍ଵାସ୍ଥ୍ୟ ବିଭାଗର ଫୁଡ୍ ଇନ୍ସପେକ୍ଟର ମାନେ ଏଥି ପ୍ରତି ଦୃଷ୍ଟି ଦେଉନଥିବାରୁ ଦିନକୁ ଦିନ ଏଭଳି ନକଲି, ନିମ୍ନମାନର ପାଣି ପାଉଚ୍ ଓ ପାଣି ବୋତଲ ବିକ୍ରୀ କାରବାର ବଜାରରେ ବୃଦ୍ଧି ପାଉଛି । ଯାହାକୁ ନେଇ ପର୍ଯ୍ୟଟକ ଓ ଖାଉଟିମାନଙ୍କ ମଧ୍ୟରେ ତିବ୍ର ଆସନ୍ତୋଷ ଦେଖାଦେଇଛି । ବିଶେଷ କରି ଜିଲ୍ଲାର ଗ୍ରାମାଚଂଳରେ ରହିଥିବା ଦୋକାନ ମାନଙ୍କରେ ଏସବୁ ପାଣି ବୋତଲ ଓ ପାଣି ପାଉଚ୍ ବହୁଳ ଭାବରେ ବିକ୍ରୀ ହେଉଛି । ନାମୀଦାମୀ କମ୍ପାନୀର ପାଣି ପାଉଚ୍ ଓ ପାଣି ବୋତଲ କାରବାରରେ ଲାଭର ମାର୍ଜିନ କମ୍ ରହୁଥିବାରୁ ଏବଂ ଏଭଳି ନକଲି ଓ ନିମ୍ନମାନର ପାଣି ପାଉଚ୍ ଓ ବୋତଲ ବିକ୍ରୀରେ ଲାଭର ମାର୍ଜିନ ଅଧିକ ରହୁଥିବାରୁ ଦୋକାନୀ ମାନେ ଏଭଳି ବେନାମୀ କମ୍ପାନୀର ପାଣି ପାଉଚ୍ ଓ ପାଣି ବୋତଲ ବିକ୍ରୀ କରିବାକୁ ଅଧିକ ପସନ୍ଦ କରୁଛନ୍ତି ।
ଅନୁରୂପ ଭାବେ ବିଭିନ୍ନ ବିବାହ, ବ୍ରତଘର ଏବଂ ଅନ୍ୟାନ୍ୟ ଉତ୍ସବରେ ଏଭଳି ନକଲି ପାଣି ପାଉଚ୍ ଓ ପାଣି ବୋତଲର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ତେବେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଧରପଗଡ଼ ଓ ପାଣିର ମାନ ଯାଂଚ୍ କରାଗଲେ ଏହା ସ୍ଵାସ୍ଥ୍ୟ ପାଇଁ କେତେ ଉପଯୋଗୀ ସେ ସମ୍ପର୍କରେ ତଥ୍ୟ ପଦାକୁ ଆସିପାରନ୍ତା । ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାସହ ଏ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।