ମାଲକାନଗିରି, ବୃତ୍ତିରେ ଶିକ୍ଷକ, ପ୍ରବୃତ୍ତିରେ କବି ଓ ପରିବେଶବିତ୍ । ଦରଦୀ ହୃଦୟର ମଣିଷ ଦୁଃଖର ଝଡ ମଧ୍ୟରେ ଗତି କରୁଥିଲେ ମଧ୍ୟ ନିଜ କର୍ମମୟ ଜୀବନ ସହିତ ସାହିତ୍ୟ ସାଧନା, ସମାଜ ସେବା, ପରିବେଶ ସୁରକ୍ଷା ଉପରେ ତାଙ୍କର କର୍ତ୍ତବ୍ୟରେ ସେ କେବେ ଅବହେଳା କରିନାହାନ୍ତି। ସେହି ଦୃଢମନା ବ୍ୟକ୍ତି ମାଲକାନଗିରି ଜିଲ୍ଲା ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ତଥା ବରିଷ୍ଠ କବି କରୁଣାକର ମଲିକ। ଯିଏକି ବୃତ୍ତିରେ ଶିକ୍ଷକ ହେଲେ ମଧ୍ୟ ପ୍ରବୃତ୍ତିରେ ଜଣେ କବି ଓ ଲେଖକ। ନିପଟ ମଫସଲ ଆଦିବାସୀ ଗାଁ ରେ ଥିଲେ ମଧ୍ୟ ବୃତ୍ତି ଓ ପ୍ରବୃତ୍ତିକୁ ସଫଳ ରୂପାୟନ ଦେବାରେ ସେ ଦକ୍ଷ ବିନ୍ଧାଣି। ସେଥିପାଇଁ ତ ପବିତ୍ର ପ୍ରଥମ ରଜ ତଥା ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ସେବା ସଦନ ଟ୍ରଷ୍ଟ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା, ଭୁବନେଶ୍ଵରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ଵର, ୟୁନିଟ୍ -୯ ଲୋହିଆ ଏକାଡେମୀ ପରିସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ଚତୁର୍ଥ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ପାରିକୁଦ ରାଜା ଶ୍ରୀ ସନ୍ତୋଷ ଚନ୍ଦ୍ର ଦେଓ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ, ପଦ୍ମଶ୍ରୀ ଡଃ. ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ରାଜ୍ୟସଭା ସାଂସଦ ଡ଼ଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଷାବିତ୍ ପଞ୍ଚାନନ କାନୁନଗୋ, ଭୁବନେଶ୍ଵର ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡ଼ଃ. ହୁସେନ ରବି ଗାନ୍ଧୀ, ସଚିବ ସ୍ବାଧୀନ ଦାଶ, ପ୍ରତିଷ୍ଠାତା ବଳରାମ ତରାଇ, ସଭାପତି ଚକ୍ରଧର ତ୍ରିପାଠୀଙ୍କ ଉପସ୍ଥିତିରେ ଶ୍ରୀ ମଲିକଙ୍କୁ ଉତ୍କଳ ପ୍ରତିଭା ସମ୍ମାନ – ୨୦୨୨ ରେ ସମ୍ମାନିତ କରାଯାଇଛି। ଏହା ସହିତ ବ୍ୟାସକବି ଫକୀରମୋହନ ସାହିତ୍ୟ ସଂସଦ, ନୀଳଗିରି, ବାଲେଶ୍ଵର ତରଫରୁ ବାଣୀ ପୁତ୍ର -୨୦୨୨, ଜାତୀୟ କବି ଲେଖକ ସଂଗଠନ, ଭଦ୍ରକ ଓ ଲକ୍ଷ୍ମଣ ନାୟକ ସାହିତ୍ୟ ସଂସଦ , ମାଲକାନଗିରି ତରଫରୁ ଲକ୍ଷ୍ମଣ ନାୟକ ସାରସ୍ଵତ ସମ୍ମାନ -୨୦୨୨ ଓ ମନ୍ଦାକିନୀ ସାହିତ୍ୟ ସଂସଦ, ରଣପୁର, ନୟାଗଡ଼ ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି।
ଏହି ସମ୍ବର୍ଦ୍ଧନା ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି। ଯାହାକୁ ନେଇ ଛାତ୍ର ତଥା ବୁଦ୍ଧିଜୀବି ମହଲରେ ଆନନ୍ଦ ଖେଳି ଯାଇଛି।