-
କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିକାଶ କାମର କଲେ ସମୀକ୍ଷା
-
କେସିଙ୍ଗା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ କଲେ ଆଲୋଚନା
ଭବାନୀପାଟଣା, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ମୁଣ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ତାଙ୍କର ଏହି ସରକାରୀ ଗସ୍ତ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ରବିବାର କେନ୍ଦ୍ର ମନ୍ତ୍ରୀ କଳାହାଣ୍ଡିର କେସିଙ୍ଗା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହିତ ମତ ବିନିମୟ କରିଛନ୍ତି । ପକ୍କା ଘର ମିଳିବା ପରେ ସେମାନଙ୍କର ଅଭିଜ୍ଞତା, ସଶକ୍ତିକରଣ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ । ଏଠାରେ ୪୦ ପରିବାରକୁ ଆବାସ ଯୋଜନାରେ ଘର ମିଳିଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା କଲୋନୀ ପରିସରରେ ବୃକ୍ଷରୋପଣ ମଧ୍ୟ କରିଥିଲେ । ହିତାଧିକାରୀମାନେ କହିଥିଲେ ଯେ, ଆବାସ ଯୋଜନାରେ ଘର ମିଳିବା ପରେ ସେମାନଙ୍କ ଜୀବନରେ ଯଥେଷ୍ଟ ପରିବର୍ତ୍ତନ ଆସିଛି । ସମାଜରେ ସେମାନଙ୍କୁ ଏକ ସମ୍ମାନଜନକ ସ୍ଥାନ ମିଳିଛି ବୋଲି ହିତାଧିକାରୀମାନେ ସୂଚନା ଦେଇଥିଲେ ।