ବୌଦ୍ଧ, ହଜିଗଲା ମାନବିକତା। ଛୁଇଁଲେ ନାହିଁ ଗ୍ରାମବାସୀ, ବନ୍ଧୁବାନ୍ଧବ। ମୃତ ଯୁବକଙ୍କ ଜାତି ଜଣା ନଥିବାରୁ ୨୪ ଘଣ୍ଟା ଧରି ପଡି ରହିଲା ଶବ। ପ୍ରେମ ବିବାହ କରି ପୂର୍ବରୁ ଜାତି ସମାଜରୁ ବାସନ୍ଦ ହୋଇ ଅଲଗା ରହୁଥିବାରୁ ଶବ ସତ୍କାର କାମରେ ଗ୍ରାମବାସୀ କିମ୍ବା ବନ୍ଧୁବାନ୍ଧବ ସହଯୋଗ କରିନଥିଲେ। ବୌଦ୍ଧ ଜିଲା ହରଭଙ୍ଗା ଥାନା ଭାଳିଆଗୁରା ଗ୍ରାମରେ ଘଟିଛି ଏଭଳି ଅବାଭନୀୟ ଘଟଣା।
ଦୀର୍ଘ ୧୦ ବର୍ଷ ହେବ ମଧ୍ୟପ୍ରଦେଶର ଗୋବର୍ଦ୍ଧନ ପ୍ରଜାପତି ଭାଳିଆଗୁରା ଗ୍ରାମର ସୁକାନ୍ତି ରଣାଙ୍କୁ ପ୍ରେମ ବିବାହ କରି ଭାଳିଆଗୁରା ଗ୍ରାମରେ ରହି ଆସୁଥିଲେ । ଅନ୍ୟ ଜାତିରେ ବିବାହ କରିଥିବାରୁ ଉଭୟ ପରିବାର ଲୋକେ ତାଙ୍କ ସହିତ ସମ୍ପର୍କ ତୁଟାଇ ଦେଇଥଲେ। ଉଭୟ ସ୍ଵାମୀସ୍ତ୍ରୀ ମୂଲ ମଜୁରୀ କରି ସ୍ଵତନ୍ତ୍ର ଭାବେ ରହୁଥିଲେ। ଶନିବାର ରାତିରେ ଗୋବର୍ଦ୍ଧନଙ୍କ ଦେହ ଅସୁସ୍ଥ ହେବା ପରେ ମେଡ଼ିକାଲ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସୁକାନ୍ତି ଗୋବର୍ଦ୍ଧନର ଶବକୁ ଆଣି ଘରେ ରଖିଥିଲେ । କିନ୍ତୁ, ମହିଳା ଜଣକ ଏକାକୀ ଗୋବର୍ଦ୍ଧନଙ୍କ ସତ୍କାର କାର୍ଯ୍ୟ କରି ପାରିନଥିଲେ । କେହି ସହଯୋଗ ନକରିବାରୁ ସୁକାନ୍ତି ରାତି ସାରା ଓ ଦିନ ସାରା ଶବକୁ ଧରି ପଡି ରହିଥିଲେ । ପରେ ଏ ସମ୍ପର୍କରେ ଛାତ୍ରଙ୍ଗ ପଂଚାୟତର ପୂର୍ବତନ ସରପଂଚ ସୁଶୀଲ ପ୍ରଧାନ ହରଭଙ୍ଗା ଥାନା ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ବୌଦ୍ଧ ଡାକ୍ତରଖାନାକୁ ଅଣାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଖବର ପାଇ ବୌଦ୍ଧ ସତ୍ୟସାଇ ସେବା ସଙ୍ଗଠନର ସଦସ୍ୟ ମାନେ ରାଜଘାଟ ଠାରେ ଶବ ସତ୍କାର କରିଥିଲେ ।