
ଜୟପୁର, ପ୍ରତ୍ୟୋକ ବର୍ଷ ଶିକ୍ଷା ଏବଂ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇ ଉପାନ୍ତ ଓ ଦୁର୍ଗମ ଅଞ୍ଚଳ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ଆଣୁଛନ୍ତି, କିନ୍ତୁ ଆଜିବି କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ସରକାରଙ୍କ ସମସ୍ତ ଯୋଜନା ଫେଲ ମାରିଛି। ଯାହା ଫଳରେ କୋରାପୁଟ ଜିଲ୍ଲାରେ ଅନେକ ଦୁର୍ଗମ ଗାଁର ପିଲାଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି। ଖୋଲା ଆକାଶ ତଳେ ଚାଲିଛି କୁନି କୁନି ଶିଶୁଙ୍କର ଭବିଷ୍ୟତ ଗଢ଼ା। ଏ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମୁଲି ପଞ୍ଚାୟତର ପରଜାପାତ୍ରପୁଟ ଗ୍ରାମ। ଯୋଉଠି ଆଦିବାସୀ ଗରିବ ନିରୀହ କୁନି କୁନି ଶିଶୁ ମାନଙ୍କ ଉପରେ ଦୃଷ୍ଟି ପଡୁନି ପ୍ରଶାସନର। ଗଛ ମୂଳରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। ଏହି ଗ୍ରାମରେ ଶିକ୍ଷାଦାନ କରିବା ନିମନ୍ତେ ଅଙ୍ଗନବାଡ଼ି କର୍ମୀ ଅଛନ୍ତି। ଶିକ୍ଷା ଗ୍ରହଣ କରିବା ନିମନ୍ତେ ଛାତ୍ର ବି ରହିଛନ୍ତି, ହେଲେ ଅଙ୍ଗନବାଡି ଗୃହଟେ ନାହିଁ। ଏହି ଅଙ୍ଗନବାଡି କେନ୍ଦ୍ରରେ ୫୧ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ୧୧ରୁ ଉର୍ଦ୍ଧ ପ୍ରସୂତି ମହିଳା ଏବଂ ୧୧ ଜଣ ଗର୍ବବତୀ ମହିଳା ରହଛନ୍ତି। ଏପରି ଭାବରେ ୧୦୦ ରୁ ଉର୍ଦ୍ଧ ହିତାଧିକାରୀ ଏହି କେନ୍ଦ୍ରରୁ ଅଣ୍ଡା, ଛତୁଆ ଏବଂ ଅନ୍ୟାନ୍ୟ ପୃଷ୍ଟିକର ଖାଦ୍ୟ ପାଉଛନ୍ତି। ଅଙ୍ଗନବାଡି କେନ୍ଦ୍ରଟି ୪ ବର୍ଷରୁ ଉର୍ଦ୍ଧ ସମୟ ହେବ ଭଙ୍ଗାଦଦରା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଯୋଉଥି ପାଇଁ ଅଙ୍ଗନୱାଡି କର୍ମୀ କୁନି କୁନି ଶିଶୁଙ୍କୁ ବର୍ଷା କାଳ। ଅଙ୍ଗନବାଡି ହେଲ୍ପର ଘର ବାରଣ୍ଡାରେ ଶିକ୍ଷା ଦାନ କରୁଥିଲେ। ପରବର୍ତ୍ତୀ ସମୟରେ ଏଥିପାଇଁ ଆପତି କରିବାରୁ ବର୍ତ୍ତମାନ ନିକଟସ୍ଥ ବିଦ୍ୟାଳୟର ବାହାରେ ଗଛ ମୂଳରେ ଚାଲଛି ଶିକ୍ଷାଦାନ।
ହେଲେ ଦୁଃଖ ଏବଂ ପରିତାପର ବିଷୟ ଯେ, ରାଜ୍ୟ ସରକାର ଆଦିବାସୀ ଅଞ୍ଚଳରେ ବିକାଶ ନିମନ୍ତେ ମାଳ ମାଳ ଯୋଜନା ଆଣୁଥିବା ବେଳେ ଯୋଜନା ଲୋକଙ୍କ ପାଖକୁ ପହଁଞ୍ଚିଲା ବେଳକୁ ଉଭାନ ହେଇଯାଉଛି। ସ୍ଵାଧୀନତାର ୭୫ ବର୍ଷ ବିତିଗଲାଣି ହେଲେ ଆଜିବି ଶିକ୍ଷା ପାଇଁ ଭିତିଭୂମିର ଅଭାବ ଯୋଗୁ ଖୋଲା ଆକାଶ ତଳେ ଚାଲିଛି ଶିକ୍ଷାଦାନ। ଦୀର୍ଘ ୫ ବର୍ଷ ଧରି ବ୍ଲକ ପ୍ରଶାସନକୁ ଏବଂ ଆଇସିଡିଏସ ଅଧିକାରୀଙ୍କୁ ଏହି ପର୍ଜା ପାତ୍ରପୁଟ ଅଙ୍ଗନବାଡି କେନ୍ଦ୍ରର ସମସ୍ଯା ବିଷୟରେ ବାରମ୍ବାର ଜଣାଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦଉନାହାନ୍ତି। କେଉଁଥି ପାଇଁ କୁନି କୁନି ଶିଶୁଙ୍କ ଭବିଷ୍ୟତ ସହ ଖେଳା ଯାଉଛି କେଉଁଠି ଅପପୃଷ୍ଟିର ଶିକାର ହେଉଛନ୍ତି ତ କେଉଁଠି ଭିତ୍ତିଭୂମି ଅଭାବ ଯୋଗୁ ଶିକ୍ଷା ଏବଂ ବିଭିନ୍ନ ପ୍ରକାର ଖେଳକୁଦରୁ ବଞ୍ଚିତ ହେଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଜିଲ୍ଲା ପ୍ରଶାସନ ହେଉ କିମ୍ବା ସରକାର ଏଥିପ୍ରତି ଦୃଷ୍ଟି ଦେଇ, ଆଗାମୀ ଦିନର ଭବିଷ୍ୟତ ଏହି କୁନି କୁନି ଶିଶୁମାନଙ୍କ ପଠପଢା ନିମନ୍ତେ ଉତ୍ତମ ଭିତିଭୂମି ପ୍ରଦାନ କରିବା ନିହାତି ଜରୁରୀ ହୋଇପଡିଛି।