
ରାଉରକେଲା, ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ ଲାଗି ଏବେ ଜିଲ୍ଲାରେ ଅନେକ ମହଲ ଚଳ ଚଂଚଳ ହୋଇଥିବା ବେଳେ ଜିଲ୍ଲାର ବହୁ ପରିଚିତ ବିଜୁ ଜନତା ଦଳର ୩ ନେତାଙ୍କ ଭିତରେ ଭିନ୍ନ ମତ ସୃଷ୍ଟି ହୋଇ ବିଜେଡି ଶକ୍ତି ୩ ଫାଳ ହେବା ସହ କୌଣସି ମତେ ଏହି ନିର୍ବାଚନକୁ ଜିତି ନିଜର ପୁରୁଣା ଦୋଷ ଦୁର୍ବଳତାକୁ ଲୁଚାଇବା ଲାଗି ପୁରୁଣା ଶକ୍ତି ମାନେ ଏକ ହୋଇଛନ୍ତି। ଫଳରେ ବିଜେଡି ଗୋଟାଏ ପାଖରେ ଥିବା ବେଳେ ଅନ୍ୟ ୨ ପ୍ରମୁଖ ଦଳ,ପୁରୁଣା ଶକ୍ତି, ବିଜେଡିର ୩ଟି ଶକ୍ତି ଓ କିଛି ବେପାରୀ ଦଳ ମିଶି ଗୋଟିଏ ପ୍ୟାନେଲ କରି ଲଢୁଥିବା କୁହାଯାଉଛି। ଯଦି ଏଭଳି ହୁଏ ଆଗାମୀ ଦିନରେ ବିଜେଡି ଲାଗି ସମସ୍ୟା ବଢିବା ସହ ଅର୍ଥ ଯାହା ପାଖରେ ଜିତାପଟ ତାହା ପାଖରେ ବୋଲି ପ୍ରମାଣିତ ହେବ ଏବଂ ନିର୍ବାଚନ କେବଳ ନାମକୁ ମାତ୍ର ହେବ ବୋଲି ବୁଦ୍ଧିଜିବୀ ମହଲରେ କୁହାଯାଉଛି ।
ଅର୍ବାନ ବ୍ୟାଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ବିଜେଡି ଦଳର ଦାୟିତ୍ଵରେ ଥିବା ମୁଖିଆ କହିଥିଲେ, ୨ ପ୍ରମୁଖ ନେତା ମିଳିମିଶି ପ୍ୟାନେଲ ଦେବେ । ହେଲେ ଜଣେ ନେତା ନିଜ ଇଛା ଅନୁସାରେ କୁଆଡେ ପାନେଲ ତାଲିକା ପ୍ରସ୍ତୁତ କରି ଅନୁମୋଦନ କରିଦେବାରୁ ବ୍ୟାଙ୍କର ପୁରାତନ ଶକ୍ତି ମାନଙ୍କ ସହ ବହୁ ଆଗରୁ ଥିବା ବିଜେଡି ନେତା ସେହି ମାନଙ୍କ ସହ ସାମିଲ ହୋଇ ସେମାନଙ୍କ ପ୍ୟାନେଲକୁ ସହଯୋଗ କରିବା ଆରମ୍ଭ କରିଥିବା ଖବର ମିଳିଛି । ଏହାଦ୍ଵାରା ବିଜେଡି ଗୋଟିଏ ପାଖରେ ଅନ୍ୟ ଦଳ ଓ ବେପାରୀ ମାନେ ଗୋଟିଏ ପାଖରେ ବୋଲି ଆଲୋଚନା ଆରମ୍ଭ ହୋଇଛି । ଏହି ବ୍ୟାଙ୍କରେ ବିଗତ ଦିନ ମାନଙ୍କରେ ବେନାମୀ ଓ କିଛି ଗରୀବ ଲୋକ ମାନଙ୍କ ନାମରେ ଆକାଉଁଟ ଖୋଲା ଯାଇ ଶହ ଶହ କୋଟି ଟଙ୍କାର ଟିକସ ଫଙ୍କା ଜିବା କଥା ପଦାକୁ ଆସିବା ପରେ ଅର୍ବାନ ବ୍ୟାଙ୍କ ବିବାଦୀୟ ହୋଇ ପଡିଥିଲା । ବ୍ୟାଙ୍କ ଦାୟିତ୍ଵରେ ଥିବା ସଭାପତି ରାଜେଶ ମହାପାତ୍ର ଆଇନ ତା ରାସ୍ତାରେ ଯିବ ବୋଲି ଅନେକ ଥର କହିଛନ୍ତି, ହେଲେ ଅନେକ ଆକାଉଁଟକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ଦଳ ମାମଲା ମାନ ରୁଜୁ କରିଚାଲିଛନ୍ତି ।
ଏକଦା ପୂର୍ବତନ ରାଉରକେଲା ବିଧାୟକ ଗୁରୁପଦ ନନ୍ଦଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କର ଭବିଷ୍ୟତ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଥିଲା, ତେବେ ରାଉରକେଲାର ଅନ୍ୟତମ ବ୍ୟକ୍ତି ତଥା ନିଳମଣି ରାଉତରାୟଙ୍କ ସଂପର୍କୀୟ ନିର୍ମଳ ରାଉରତରାୟ ସଭାପତି ହେବା ପରେ ଏହି ସନ୍ଦେହ ଆଉ ରହିଲା ନାହିଁ। ବ୍ୟାଙ୍କର ଶାଖା ବଢିବା ସହ ନିଜସ୍ଵ ବିଲ୍ଡିଂ ମଧ୍ୟ ହେଲା । କିନ୍ତୁ, ବିଗତ କିଛି ବର୍ଷ ଧରି ଏଭଳି କାରବାର ବଢିବା ସହ ଏଥିରେ ଥିବା ଭୋଟର ମାନଙ୍କୁ ସେମାନଙ୍କ ଅଂଶଧନ ମିଳୁନାହିଁ । ଏପରିକି ଅଂଶଧନ ଫେରାଇ ଆଣିଥିବା ଲୋକଙ୍କୁ ମଧ୍ୟ ସେମାନଙ୍କ ପାଉଣା ମିଳିଲା ନାହିଁ । ବର୍ତମାନ କିଛି ଶକ୍ତି କୌଣସି ଉପାୟରେ ଏହି ବ୍ୟାଙ୍କକୁ ନିଜ ଅକ୍ତିଆରରେ ରଖି ଜିଏସଟି ଠକ ଦଳଙ୍କ ଆକାଉଁଟ ଖୋଲି କଳା ଟଙ୍କା କାରବାର ଲାଗି ଏହାକୁ ମାଧ୍ୟମ କରିବାର ଯୋଜନା ପ୍ରସ୍ତୁତ କରିସାରିଛନ୍ତି ବୋଲି ସାଧାରଣରେ ଆଲୋଚନା ଚାଲିଛି । ଏଥିଲାଗି ବର୍ତମାନ ଗଳି ଗଳିରେ ଏହି ନନିର୍ବାଚନ ଲାଗି ଟଙ୍କା ଉଡିବା ସହ ସୁନ୍ଦରଗଡରୁ ରାଜଗାଙ୍ଗପୁର ରାଉରକେଲା ଯାଏ ନିୟନ୍ତ୍ରଣ ଲାଗି କଂଟ୍ରୋଲ ରୁମରେ ବାବୁ ମାନେ ବସି କାମ ଚଳାଇଛନ୍ତି । ଏହି ଶକ୍ତି ମାନେ ବୁଝିସାରିଛନ୍ତି କ୍ଷମତା ଆସିବା ପରେ କିଏ କାହାକୁ ପଚାରୁଛି ? ତେବେ ଏହି ନିର୍ବାଚନ ନେଇ ନୀରବ ବିବାଦ ଭିତରେ ଥିବା ବିଜେଡି ନେତା ମାନେ ଏଯାଏ ମୁହଁ ଖୋଲି ନଥିବା ବେଳେ, ପୁରାତନ ଶକ୍ତି ଓ ମିଳିତ ପାନେଲ ମାନେ କୌଣସି ମନ୍ତବ୍ୟ ରଖିନାହାନ୍ତି । ନିର୍ବାଚନରେ ଯିଏ ଜିତିବ ସିଏ ହିଁ ଶକ୍ତି, କିନ୍ତୁ ଏଭଳି କାରବାରକୁ ଭୋଟର ମାନେ ବୁଝି ନିଜର ମତ ସାବ୍ୟସ୍ତ କରିବା ଉଚିତ ବୋଲି ରାଜନୀତି ସମୀକ୍ଷକଙ୍କ ମହଲରେ ମତ ପ୍ରକାଶ ପାଇଛି ।