ବାରିପଦା – ବାରିପଦା ପୌରପରିଷଦର ସଫେଇ କର୍ମଚାରୀ ମାନେ ଦରମା ନମିଳିବା ପ୍ରତିବାଦରେ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କର୍ମଚାରୀମାନେ ବାହାରୁ ଅଳିଆ ଆବର୍ଜନା ଆଣି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଗଦା କରି ପ୍ରତିବାଦ ଜଣାଇଛନ୍ତି । ପୌର ନିର୍ବାହୀ ଅଧିକାରୀ ଓ ଏସଡିପିଓ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।
ସୂଚନା ଅନୁଯାୟୀ ବାରିପଦା ପୌରପରିଷଦର ସଫେଇ ଟେଣ୍ଡର ଭୁବନେଶ୍ୱରସ୍ଥିତ ଉକ୍ରଳ ଫେସିଲିଟି ସାର୍ଭିସେସ ପ୍ରା. ଲିଃ.କୁ ମିଳିଛି । ଉକ୍ତ ସଂସ୍ଥା ସଫେଇ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସ ୭ରୁ ୧୦ ତାରିଖ ମଧ୍ୟରେ ଦରମା ପ୍ରଦାନ କରିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କ ନାମ, ଧାମ, ଠିକଣା ଓ ପରିଚୟ ଆଦି ଜାଣିନଥିବାରୁ ସଫେଇ କର୍ମଚାରୀମାନେ ଠିକା ସଂସ୍ଥାରେ କାର୍ଯ୍ୟକରିବାକୁ ଅମଙ୍ଗ ହେଉଥିବା ସମୟରେ ବାରିପଦା ପୌରପରିଷଦ ଏଥି ନିମନ୍ତେ ଉତରଦାୟୀ ରହିବ ବୋଲି ସଫେଇ କର୍ମଚାରୀମାନଙ୍କୁ ଆଶ୍ୱାସନା ଦେଇଥିଲେ । ମାତ୍ର ଗତ ଅକ୍ଟୋବର ମାସର ଦରମା ନିର୍ଦ୍ଧାରିତ ସମୟସୀମା ୭ରୁ ୧୦ମଧ୍ୟରେ ମିଳିପାରିନଥିଲା । ଫଳରେ ସଫେଇ କର୍ମଚାରୀମାନେ ନଭେମ୍ବର ୧୨ରେ ଦରମା ନ ମିଳିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ କରିଥିଲେ ମଧ୍ୟ ପୌର ନିର୍ବାହୀ ଅଧିକାରୀ ଓ ଠିକାନେଇଥିବା ଉକ୍ରଳ ଫେସିଲିଟି ସାର୍ଭିସେସ ପ୍ରା. ଲିଃ. ସଂସ୍ଥା ଧରାଛୁଆଁ ଦେଇନଥିଲେ ।
ଫଳରେ ବୁଧବାର ପ୍ରାତଃ ସମୟରେ ପୌରପରିଷଦର ସଫେଇ କର୍ମଚାରୀମାନେ ବାହାରୁ ଅଳିଆ ଆବର୍ଜନା ଆଣି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଗଦା କରିଥିଲେ । ଖବର ପାଇ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ, ବାରିପଦା ସଦର ଏସଡ଼ିପିଓ ଓ ବାରିପଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚିି ଆନେ୍ଦାଳନକାରୀମାନଙ୍କ ସହ ଆଲୋଚନା କରିଥିଲେ । ପୌରନିର୍ବାହୀ ଅଧିକାରୀ ଶ୍ରୀ ଦାଶ ଆଜି ସନ୍ଧ୍ୟା ସୁଦ୍ଧା ସଫେଇ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିବାର ପ୍ରତିଶ୍ରୁତି ପ୍ରଦାନ କରିବା ପରେ ୨୩୬ରୁ ଅଧିକ ଆଉଟ ସୋର୍ସିଂ ଠିକା ସଫେଇ କର୍ମଚାରୀମାନେ ଚଳାଇଥିବା କାର୍ଯ୍ୟ ବନ୍ଦ ଆନେ୍ଦାଳନ ପ୍ରତ୍ୟାହୃତ କରିଥିଲେ ।