ବଲାଙ୍ଗିର,ସ୍ଥାନୀୟ ଗାନ୍ଧୀ ଭବନରେ ଗତକାଲି ସଂଧ୍ୟାରେ ମାସିକ ରଚନା ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଆମ ବଲାଙ୍ଗିର, ଆମ ଦାୟିତ୍ଵ’ ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିବା ବେଳେ ଏଥିରେ ଅତିଥି ବକ୍ତା ଭାବରେ ଯୁବ ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର, ଆଦର୍ଶ ଶିକ୍ଷୟିତ୍ରୀ ତଥା ସାହିତ୍ୟ ସାଧିକା କସ୍ତୁରୀ ରଥ, ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ବଲାଙ୍ଗିର ନାଗରିକ କମିଟିର ସଭାପତି ବେଲାର ସିଂ ଭୋଇ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ବଲାଙ୍ଗିର ସହରରେ ଲାଗି ରହିଥିବା ନାନା ପ୍ରକାର ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଅତିଥି ବକ୍ତାମାନେ ବକ୍ତବ୍ୟ ରଖିଥିବା ବେଳେ ସହର ପ୍ରତି ସମସ୍ତଙ୍କ ଆତ୍ମୀୟତା ଭାବ ରଖିଲେ ସମସ୍ୟା ସମାଧାନର ବାଟ ଫିଟିବ ବୋଲି ମତଦେଇ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଶ୍ରୋତାଙ୍କ ମଧ୍ୟରୁ ଦତ୍ତାନନ୍ଦ ପଣ୍ଡା ଏବଂ ମନୋରନ୍ଜନ ସାହୁ ମତାମତ ପ୍ରଦାନ କରି ସାମାଜିକ ନେତୃତ୍ଵ ଓ ପ୍ରତ୍ୟେକ ସଂଗଠନ ଅନୁଷ୍ଠାନ ନିଜ ନିଜ କ୍ଷେତ୍ରରେ ଆନ୍ତରିକତାର ସହ କର୍ଯ୍ୟକରିଲେ ସମସ୍ୟା ସମାଧାନର ବାଟ ଖୋଲିବ ବୋଲି ମତ ଦେଇଥିଲେ । ସଭାପତି ଶ୍ରୀ ସାହୁ ନିଜର ସଭାପତିତ୍ଵ ଅଭିଭାଷଣ ପ୍ରଦାନ ପରେ ଧନ୍ୟବାଦ ଅର୍ପଣ କରିଥିଲେ କବି ରତ୍ନମୟ ତ୍ରିପାଠୀ । ସୁସାହିତ୍ୟିକ ଡ. ଲକ୍ଷ୍ମଣ କୁମାର ମେହେର ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପୁଷ୍ପାଞ୍ଜଳି ମିଶ୍ର, ଅନୁପ୍ରୀୟ ମିଶ୍ର, ନାଟ୍ୟ ଭୁଷଣ ଜଗଦାନନ୍ଦ ଛୁରିଆ, ସନାତନ ଠାକୁର, ପ୍ରଦୀପ ପଣ୍ଡା, ସରଦିନ୍ଦୁ ହୋତା, କଉତୁକ ପନ୍ଦର ,ଚିତ୍ତରଂଜନ ଦାଶ, ରାମ ଭକ୍ତ ଫରିକାର ସମେତ ବହୁ ବୁଦ୍ଧିଜୀବୀ ଏଥିରେ ଯୋଗଦେଇଥିଲେ।