କନ୍ଧମାଳ, ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ। ପ୍ରଶାସନର ନିର୍ଦେଶ ସତ୍ବେ ଜାଗା ଖାଲି କରୁନି ଜବରଦଖଲକାରୀ ଜଣକ। ଖାଲି କରିବାକୁ କହିଲେ ଓଲଟା ଧମକ ଦେଉଛି ଜବରଦଖଲକାରୀ ଜଣକ। ଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ।
ଅଭିଯୋଗ ପ୍ରକାରେ, ସୁଶାନ୍ତ କୁମାର ନାୟକ, ପିତା- ସ୍ବର୍ଗତ- ତ୍ରିନାଥ ନାୟକ, ଗ୍ରାମ- ଗାଲେରୀ, ଜିଲ୍ଲା-ଗଞ୍ଜାମ ନାମକ ଜନୈକ ସରକାରୀ କର୍ମଚାରୀଙ୍କ ନାମରେ କନ୍ଧମାଳ ଜ଼ିଲ୍ଲା ଚକାପାଦ ମୌଜାରେ ଖାତା ନମ୍ବର -୨୪୯/୩୩୧ ପ୍ଲଟ ନମ୍ବର ୧୭୧୭/୩୧୨୩, ଏରିଆ ୦.୧୨୦ ଆର, ଘରବାରୀ କିସମରେ ରେକର୍ଡଭୁକ୍ତ ଅଛି। ଉକ୍ତ ଜାଗା ଉପରେ ସୁଶାନ୍ତଙ୍କ ଅନୁପସ୍ଥିତର ସୁଯୋଗ ନେଇ ଚକାପାଦ ଅଂଚଳର ଖଗେଶ୍ଵର ପାତ୍ର ପିତା- ସ୍ବର୍ଗତ ଆନନ୍ଦ ପାତ୍ର ଏବଂ ତାଙ୍କର ଚାରିପୁଅ, ଚାରି ବୋହୁ ମିଶି ବଳ ପୂର୍ବକ ଉକ୍ତ ଘରଵାରିକୁ ଦୀର୍ଘ ବର୍ଷ ଧରି ଜବରଦସ୍ତ ବେଆଇନ ଭାବରେ ମାଡି ବସିଛନ୍ତି। ଏନେଇ ସୁଶାନ୍ତ ନାୟକ ଉପ-ଜିଲ୍ଲାପାଳ, ବାଲିଗୁଡ଼ାଙ୍କୁ ଜଣାଇଥିଲେ ଏବଂ ଉପଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାସହ କାଗଜପତ୍ରକୁ ତନ୍ନ ତନ୍ନ କରି ଯାଞ୍ଚ କରିବାପରେ ଏହି ଜାଗା ସୁଶାନ୍ତଙ୍କର ବୋଲି ରାୟ ଦେବା ସହ ତୁରନ୍ତ ଜବରଦଖଲକାରୀଙ୍କୁ ଉକ୍ତ ସ୍ଥାନରୁ ଉଛେଦ କରି ଜାଗା ହସ୍ତାନ୍ତର କରିବା ଲାଗି (ଓଏଲଆର, ଧାରା ୨୩ଏ କେସ ନମ୍ବର ୦୧/୨୦୧୯ ଅନୁଯାୟୀ ପତ୍ର ସଂଖ୍ୟା – ୩୬୧୩ ତାରିଖ-୦୨-୧୨-୨୦୨୦) ଅନୁଯାୟୀ ଚକାପାଦ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ, ଚକାପାଦ ତହସିଲଦାରଏ ନେଇ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ତେଵେ ବାରମ୍ବାର ଅଭିଯୋଗ ପରେ ଜବରଦଖଲକାରୀଙ୍କୁ ସୁହାଇଲା ପରି ତହସିଲଦାର ପତ୍ର ସଂଖ୍ୟା. ୭୦୫ ତା-୦୨-୦୩-୨୦୨୧ ରେ ତା.୧୫-୦୩-୨୦୨୧ ରିଖ ଧାର୍ଯ୍ୟ କରି ଉପର ଠାଉରିଆ ଭାବେ ଉଛେଦ କଲେ। କିନ୍ତୁ, କୋଭିଡ କଟକଣା ଯୋଗୁ ଜାଗା ମାଲିକ ସୁଶାନ୍ତ ନାୟକ ଘରକୁ ତାଲା ପକାଇ ଚାଲିଯାଇଥିଲେ। ତାଲା ପଡିଥିବାର ସୁଯୋଗ ଉଣ୍ଡି ଜବରଦଖଲକାରୀ ମାନେ ପୁଣି ସୁଶାନ୍ତଙ୍କ ଘରର ତାଲା ଭାଙ୍ଗି ଅକ୍ତିଆର କରିଆସୁଛନ୍ତି। ଏ ନେଇ ଜାଗା ମାଲିକ ଶ୍ରୀ ନାୟକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ଜବରଦଖଲକାରୀ ଫୁଲବାଣୀ ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ, ବାଲିଗୁଡା ଉପ-ଜିଲ୍ଲାପାଳ କରିଥିବା ଆଦେଶ ବିରୋଧରେ ଆବେଦନ କରିଥିଲା। ଏଡ଼ିଏମ ସମସ୍ତ ବିଷୟ ଯାଞ୍ଚ ପରେ ଶ୍ରୀ ନାୟକଙ୍କ ସପକ୍ଷରେ (ଆରଏଏମ ନଂ ୦୨/୨୦୨୧-ଓଏଲ ଆର-୨୩) ରେ ରାୟ ଶୁଣାଇଥିଲେ। କିନ୍ତୁ, ସୁଶାନ୍ତ ନାୟକ ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳଙ୍କ ନିର୍ଦେଶନାମାର ନକଲ ନେଇ ଜାଗାକୁ ଯିବାରୁ ଜବରଦଖଲକାରୀ ମାନେ ତାଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଜାଗା ଛାଡି ଚାଲି ଯିବାକୁ ଧମକ ଦେଇଥିଲେ। ଏହି ଭୟରେ ସେ ଯାଇ ଚକାପାଦ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଥିଲେ। ଅଭିଯୋଗ ନଂ. ୨୮ ତା-୦୭-୦୫-୨୦୨୨ ରୁ ଜଣାପଡିଛି। ଅଭିଯୋଗ କରିବାର ଏକ ମାସରୁ ଉର୍ଧ୍ଵ ସମୟ ବିତି ଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗକାରୀ ସୁଶାନ୍ତ କହିଛନ୍ତି। ଏ ନେଇ ସୁଶାନ୍ତ କନ୍ଧମାଳ ଜିଲ୍ଲାପାଳ ଏବଂ ଏସପି, କନ୍ଧମାଳଙ୍କୁ ଗୁହାରି ଜଣାଇଛନ୍ତି, କିନ୍ତୁ ସୁଫଳ ମିଳୁନି । ଯଦି ଜଣେ ସରକାରୀ କର୍ମଚାରୀଙ୍କୁ ନ୍ୟାୟ ମିଳୁନି ଗରିବ ଗୁରୁବାଙ୍କ କଥା ପଚାରେ କିଏ ? ଏହି ଆଇନର ଲମ୍ବା ଲଢେଇରେ ସୁଶାନ୍ତଙ୍କୁ ନ୍ୟାୟ ମିଳିବ ତ ? ଏହାକୁ ନେଇ ଏବେ ଚର୍ଚା ହେଉଛି। ସୁଶାନ୍ତଙ୍କୁ ନ୍ୟାୟ ନ ମିଳିଲେ ପରିବାର ଲୋକେ ବାଧ୍ୟ ହୋଇ ଜିଲାପାଳ କାର୍ଯାଳୟ ସମ୍ମୁଖରେ ଅନଶନରେ ବସିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ତେଵେ ସୁଶାନ୍ତଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାର କଥା ? କେବଳ ସୁଶାନ୍ତ ଏକା ନୁହଁନ୍ତି, ସୁଶାନ୍ତଙ୍କ ଭଳି ଅନେକ ଲୋକଙ୍କ ପଟ୍ଟା ଜମି ଜବରଦଖଲକାରୀଙ୍କ କବଜାରେ ରହିଛି, ଆଉ ସେମାନେ ନ୍ୟାୟ ପାଇଁ ଆଇନ ଅଦାଲତର ବୁଢିଆଣୀ ଜାଲରେ ଛନ୍ଦି ହୋଇପଡିଛନ୍ତି।