ନୟାଗଡ, ନୟାଗଡ଼ ଜିଲ୍ଲା ଇଟାମାଟି ବଡ଼ପଣ୍ଡୁସର ବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ତେଲ ବୋଝେଇ ଟ୍ୟାଙ୍କର ପୋଲ ବାଡ଼ାରେ ପିଟି ହୋଇ ତଳକୁ ଖସି ପଡ଼ିବାରୁ ଏହା ବ୍ଲାଷ୍ଟ ହୋଇ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ୪ ମୃତକଙ୍କ ମଧ୍ୟରେ ରହିଛନ୍ତି ଗାଡ଼ିର ଡ୍ରାଇଭର, ହେଲପର ଓ ଅନ୍ୟ ୨ ଜଣ ସ୍ଥାନୀୟ ଲୋକ । ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକେ ଓ ଇଟାମାଟି ପୁଲିସ ଘଟଣାସ୍ଥଳରେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି । ଖବର ପାଇ ଆଜି ସକାଳେ ଅଗ୍ନିଶମ ବାହିନୀ ସେଠାରେ ପହଂଚି ଖୋଜାଖୋଜି କରିବା ପରେ କେନାଲରୁ ୪ଟି ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ।
ସୂଚନା ଅନୁଯାୟୀ, ପାରାଦୀପରୁ ଡିଜେଲ ନେଇ ଆସୁଥିବା ଏହି ଟ୍ୟାଙ୍କର ଗତକାଲି ରାତି ପ୍ରାୟ ୨ଟା ସମୟରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବଡ଼ପଣ୍ଡୁସର ବ୍ରିଜ ଅତିକ୍ରମ କରୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ପୋଲ ବାଡ଼ାରେ ପିଟି ହୋଇ କେନାଲ ତଳକୁ ଖସି ପଡ଼ିଥିଲା । ଏହାପରେ ତେଲ ଭର୍ତି ଟ୍ୟାଙ୍କରରେ ବିସ୍ଫୋରଣ ଘଟିଥିଲା । ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର ବାହାରି ନ ପାରି ଜୀବନ ବିକଳରେ ଚିତ୍କାର କରିଥିଲେ । ଏହି ସମୟରେ ପଛ ଗାଡ଼ିରେ ଥିବା ୨ ଜଣ ଓ ଜଣେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଗାଡ଼ି ନିକଟକୁ ଯାଇଥିଲେ । ମାତ୍ର ନିଆଁ ଏତେ ଭୟଙ୍କର ଥିଲା ଯେ, ଗାଡ଼ିର ଡ୍ରାଇଭର ଓ ହେଲପର ଜିଅନ୍ତା ଜଳି ଯାଇଥିବା ବେଳେ ଉଦ୍ଧାର କରିବାକୁ ଯାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଆଉ ଜଣେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଛନ୍ତି । ଗୁରୁତରଙ୍କୁ ପ୍ରଥମେ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ ଓ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଉଦବେଗଜନକ ରହିଛି ।