
ରାଉରକେଲା, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଲାଗି କସରତ ଆରମ୍ଭ ହୋଇଯାଇଥିବା ବେଳେ ଏହି ତାଲିକାରେ ବର୍ତମାନ ୬ ଜଣଙ୍କ ନାମ ଥିବା ଖବର ମିଳିଛି, ହେଲେ କେଉଁ ଆଧାରରେ କାହାକୁ ଏହି ପଦବୀରେ ଅଳଂକୃତ କରାଯିବ ସେହି ବ୍ୟକ୍ତି ଜଣକ କିଏ, କାହାର ନାମ ରାଜ୍ୟ ସଭାପତି ଆଗରେ ରଖିଛନ୍ତି ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସର୍ବ ଭାରତୀୟ ସ୍ତରରେ ଓଡିଶାରେ ଜଣେ ଟାଣୁଆ ବହୁ ପୁରାତନ ତଥା ଫିଲ୍ଡରେ ବୁଲି ସଂଗଠନକୁ ଦେଖିବାରେ ବିଶ୍ଵାସ କରୁଥିବା ନେତା ଶରତ ପଟନାୟକଙ୍କୁ ରାଜ୍ୟ ସଭାପତି କରାଗଲା । ଇତିମଧ୍ୟରେ ରାଉରକେଲା ସଭାପତି ଜର୍ଜ ବାବୁ ନିଜ ପଦବୀରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ଏତିକି ବେଳେ ଏହି ପଦବୀ ଲାଗି ଦୌଡ ଆରମ୍ଭ ହୋଇଛି ।
ରାଉରକେଲା ଇତିହାସକୁ ଯଦି ଦେଖାଯାଏ, ଦଳ ଦୀର୍ଘ ଦିନ ଧରି କ୍ଷମତାରୁ ବାହାରେ ରହିବା ସହ ଶେଷଥର ଲାଗି ପ୍ରଭାତ ବାବୁଙ୍କୁ ବିଧାୟକ ଭାବେ ପାଇଥିଲା । ତେବେ ଗତ ନିର୍ବାଚନରେ ରାଜ୍ୟ ସଭାପତି କାହାକୁ ଏଠାରୁ ଟିକେଟ ଦେବେ ତାକୁ ସ୍ଥିର ନକରି ପାରି ଦଳ ବାହାରୁ ମୁକ୍ତିକାନ୍ତ ବିଶ୍ଵାଳଙ୍କୁ ଟିକେଟ ଦେଲେ, ହେଲେ ସେ ଏହାକୁ ଗ୍ରହଣ ନକରିବା ପରେ ଏହି ରେସରେ ଥିବା ବୀରେନ ସେନାପତି ଟିକେଟ ପାଇଲେ, ହେଲେ ତାଙ୍କର ଶୋଚନିୟ ପରାଜୟ ହେଲା । ପରେ ଜର୍ଜ ବାବୁ ଦଳର ସଭାପତି ହେଲେ ଅନେକ କାର୍ଯ୍ୟକ୍ରମ କଲେ, କିନ୍ତୁ ସମସ୍ତଙ୍କୁ ସାଙ୍ଗରେ ନେଇପାରିଲେନି । ଅନେକ କର୍ମୀ ନେତା ନିଜ ପାଟି ବନ୍ଦକରି ନୀରବ ରହିଲେ । ଏତିକି ବେଳେ ଦଳର ଅନ୍ୟତମ ଯୁବ ନେତା ତଥା ପୂର୍ବତନ ରାଜ୍ୟ ସଂପାଦକ ରଶ୍ମୀ ରଂଜନ ପାଢୀ ଆରଟିଆଇକୁ ଆଧାର କରି ରାଉରକେଲା ଓ ସୁନ୍ଦରଗଡରେ ଅନେକ ଘୋଟାଲା ଅନିୟମିତତାକୁ ପଦାକୁ ଆଣିବା ସହ ମାମଲା ମଧ୍ୟ ରୁଜୁ କଲେ । ଅନେକ ଥର ବିଭିନ୍ନ ଘଟଣାକୁ ନେଇ ସେ ମିଡିଆ ସାମ୍ନାକୁ ମଧ୍ୟ ଆସିଲେ । ତେବେ ବର୍ତମାନ ଦଳୀୟ କାର୍ଯ୍ୟକ୍ରମକୁ ନେଇ ପୂର୍ବତନ ସଭାପତି ଓ ବିଧାୟକ ପ୍ରାର୍ଥୀ ବୀରେନ ବାବୁ କିଛି କାମ କରୁଥିବା ବେଳେ ରଶ୍ମୀ ବାବୁ ଆରଟିଆଇ ଆଧାରରେ ଶାସନ ବ୍ୟବସ୍ଥାକୁ ହରଡ ଘଣାରେ ପକାଇ ଲୋକଙ୍କୁ ନ୍ୟାୟ ଦେବାକୁ ଦାବି କରିଚାଲିଛନ୍ତି । ତେବେ ସଭାପତି ପଦରେ ଏମାନଙ୍କ ଭିତରୁ କିଏ ବସିବ ସେନେଇ ଗତକାଲି ରାଜ୍ୟ ସଭାପତିଙ୍କୁ ଦେଖା କରିବାକୁ ଯାଇଥିବା ରାଉରକେଲା ନେତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଏହି ତାଲିକାରେ ବର୍ତମାନ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, କଂଗ୍ରେସ ନେତା ଗଣେଶ ପ୍ରଧାନ, ଦେବ ବିହାରୀ, ପୂର୍ବତନ ସଭାପତି ବୀରେନ ସେନାପତି ଓ ଯୁବ ନେତା ରଶ୍ମୀ ରଂଜନ ପାଢୀଙ୍କ ନାମ ତାଲିକାରେ ଥିବା କୁହାଯାଉଥିବା ବେଳେ ଆଉ ଜଣଙ୍କ ନାମ ମଧ୍ୟ ତାଲିକାରେ ଥିବା ଖବର ମିଳିଛି । ତେବେ ଜାତୀୟ ସ୍ତରରେ ରାହୁଳ ଗାନ୍ଧୀ ଯୁବ ନେତୃତ୍ଵକୁ ଅଗ୍ରାଧିକାର ଭିତିରେ ସଂଗଠନ ଦାୟିତ୍ଵ ଦେବାକୁ କହୁଥିବା ବେଳେ ରାଜ୍ୟ ସଭାପତି ଶରତ ବାବୁ ମଧ୍ୟ ସେହି ଏକା କଥା କହୁଛନ୍ତି । ତେବେ ଆଶାୟୀ ମାନଙ୍କ ମଧ୍ୟରୁ କାହାକୁ ସେ ଚୟନ କରିବେ ତାହା ତ ସମୟ କହିବ , ତେବେ ରାଉରକେଲାରେ କଂଗ୍ରେସ ଦଳର ବର୍ତମାନର ସ୍ଥିତି, ଏହାକୁ ଉଠାଇ ଆଗକୁ ନେବାକୁ ହେଲେ ସବୁ ସ୍ତରରେ କ୍ଷମତା ରଖୁଥିବା ନେତାଟିଏ କିଏ, କିଏ ସେ ନେତା ଯିଏକି କେବଳ କାମ କରିବ ସଂଗଠନ କରିବ, ଦଳ ସଭାପତି ହୋଇ ପେଟ ପୋଷିବା କାମ ସହ ଭୋଗବିଳାସରେ ନରହିବ, ଜିନ୍ଦାବାଦ ମୁର୍ଦାବାଦ କରି ସଂଗଠନ ଚଳାଇ ବିଧାୟକ ଟିକେଟକୁ ଆଶା ନକରିବ, ପରିବର୍ତନ ଚାହୁଁଥିବା ଲୋକଙ୍କ ପାଖରେ କିଏ ଆଦୃତ ହେବ ସେଭଳି ବ୍ୟକ୍ତି ଜଣକ କିଏ ତାକୁ କେମିତି ଶରତ ବାବୁ ଖୋଜି ପାଇବେ ସେନେଇ ଆରମ୍ଭ ହୋଇଛି ଚର୍ଚା। ଯଦି ଏମାନଙ୍କ ଭିତରୁ ଜଣେ ଦୁଇ ଜଣ ଅସନ୍ତୁଷ୍ଟ ହେଲେ ତେବେ ସେମାନଙ୍କ ପାଇଁ ଅନ୍ୟଦଳ ଲାଗି ରାସ୍ତା ଖୋଲାଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି ।