ବଲାଙ୍ଗିର, ଆଜି ସକାଳେ ସ୍ଥାନୀୟ ସର୍କିଟ ହାଉସ ଠାରେ ବିଶିଷ୍ଟ ଆଦିବାସୀ ନେତା ତଥା ନବ ନିର୍ବାଚିତ ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବଲାଙ୍ଗିର ନାଗରିକ କମିଟି ପକ୍ଷରୁ ଫୁଲ ତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ସ୍ଵାଗତ କରାଯାଇଛି। ଏହି ଅବସରରେ ଶ୍ରୀ ବିଶିଙ୍କ ସହ କମିଟିର ଏକ ପ୍ରତିନିଧି ଦଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜଳସେଚନ, ଶିକ୍ଷା ଓ ରେଲୱେ କ୍ଷେତ୍ରରେ ବଲାଙ୍ଗିରକୁ ପ୍ରାଥମିକତା ଦେବା ଉପରେ ନାଗରିକ କମିଟିର ସଦସ୍ୟ ମାନେ ଆଲୋଚନା କରିଥିଲେ। ନାଗରିକ କମିଟିର ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁଙ୍କ ନେତୃତ୍ଵରେ କମିଟିର ସଭାପତି ଇଂ. ବେଲାର ସିଂହ ଭୋଇଙ୍କ ସମେତ ସହସମ୍ପାଦକ ଚକ୍ରପାଣି ଦାଶ, ବରିଷ୍ଠ ସଭ୍ଯ ଅଶୋକ ମିଶ୍ର, ଆର୍ତ୍ତତ୍ରାଣ ମିଶ୍ର, ରଘୁନନ୍ଦନ ସିଂହ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବଲାଙ୍ଗିର ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦିଗରେ କାମ କରିବେ ବୋଲି ଶ୍ରୀ ବିଶି କମିଟି ସଭ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଆଜି ଜିଲ୍ଲା ଆାଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ପାଟଣାଗଡ ଠାରେ ସାଂସଦ ବିଶିଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯିବା ସହ ଦଳୀୟ କର୍ମୀ ସମାବେଶ ଅନୁଷ୍ଠିତ ହେବ। ଏଥିରେ ବିଜେଡିର ସମସ୍ତ ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି l