ଭୁୁବନେଶ୍ୱର – କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦାବି ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଚିଠି ଲେଖିଛନ୍ତି । ବାଲିଯାତ୍ରାର ସାମାଜିକ ଓ ସାସ୍କୃତିକ ଗୁରୁତ୍ୱକୁ ବିଚାରକୁ ନେଇ ଏହାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ଉତ୍ସବ (ନ୍ୟାସନାଲ ମେରିଟାଇମ ହେରିଟେଜ ଫେଷ୍ଟିଭାଲ)ର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଦାବି ଜଣାଇଛନ୍ତି ।
ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ବାଲିଯାତ୍ରା ବା ବୋଇତ ବନ୍ଦାଣ ଉତ୍ସବ ବହୁ ଦିନରୁ କଟକରେ ପାଳନ ହୋଇଆସୁଛି । ଓଡ଼ିଆ ସାଧବ ପୁଅଙ୍କ ସାମୁଦ୍ରିକ ଯାତ୍ରାକୁ ମନେପକାଇବା ପାଇଁ ଏହି ଉତ୍ସବକୁ ପାଳନ କରାଯାଉଛି । ଓଡ଼ିଆ ସାଧବ ପୁଅମାନେ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଯାଇ ସେଠାରେ ଉଭୟ ବେପାର ଓ ସଂସ୍କୃତିର ଆଦାନପ୍ରଦାନ କରୁଥିଲେ ।
ଓଡିଶା ନୌବାଣିଜ୍ୟ କାରବାରର ପ୍ରତୀକ ହେଉଛି ବାଲିଯାତ୍ରା । ବାଲିଯାତ୍ରା ଓଡିଆ ଲୋକଙ୍କ ଭାବାବେଗ ସହ ଜଡିତ । ତେଣୁ ଏହି ଉତ୍ସବକୁ ନ୍ୟାସନାଲ ମେରିଟାଇମ ହେରିଟେଜ ଫେଷ୍ଟିଭାଲର ମାନ୍ୟତା ଦେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ହେଲେ ଆମର ଭବିଷ୍ୟତ ପିଢ଼ି ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।