ପୁରୀ, ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାଜେନ୍ଦ୍ରଅଭିଷେକ ନୀତି ପାଳନ କରାଯାଇଥାଏ । ଏହି ଦିନ ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀ ମଦନମୋହନ ଆଜ୍ଞା ମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହୁଅନ୍ତି । ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ଵାର ବନ୍ଦ ହୋଇ ଜଗମୋହନକୁ ସମ୍ପୂର୍ଣ୍ଣ ଅନ୍ଧାର କରିଦିଆଯାଏ । ଏହି ସମୟରେ ଗର୍ଭ ଗୃହରେ ମହାପ୍ରଭୁଙ୍କ ଆଲଟ ସେବା ହୋଇଥାଏ । ଏଥି ଉତାରୁ ଜଣେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇବେ ଓ ସ୍ଵୟଂ ପ୍ରଭୁ ରାଜେନ୍ଦ୍ରଅଭିଷେକ ହେବା ନିମନ୍ତେ କହିବେ । ଶ୍ରୀ ମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟମୂଳ ଥିବା ଏକ ସୁସଜ୍ଜିତ ରଥରେ ଆରୋହଣ କରିଥାନ୍ତି । ଘଂଟ, ଛତା, କାହାଳି ବାଜି ବିମାନବଡୁମାନେ ଉକ୍ତ ରଥକୁ ବଡ଼ ଦେଉଳର ବେଢା଼ ପରିକ୍ରମା କରି ପୁନଶ୍ଚ ବଟ ମୂଳେ ରଖିଥାନ୍ତି । ଏହି ସମୟରେ ପାଳିଆ ଖୁଂଟିଆ, ଗରାବଡୁ ସେବକ ଉପସ୍ଥିତ ରହିଥାନ୍ତି ।
ଜନୈକ ସେବକ କୁତ କୌତୁକ ଋଷି ଭାବେ ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ ଜଣାଇ ମାଳି ଦେଇଥିବା ଶୁକ୍ଳ ଫୁଲ ପାଳିଆ ଖୁଂଟିଆଙ୍କ ଠୁ ନେଇ ଆଞ୍ଜୁଳି କରି ବିଜେ ରାସ୍ତାରେ ପକାଇବା ସହିତ ଶ୍ରୀ ମଦନମୋହନଙ୍କୁ ଥରକୁ ଥର ଦଣ୍ଡ ପ୍ରଣାମ କରି ତାହାଙ୍କୁ ଦକ୍ଷିଣୀ ଘରକୁ ନେବେ । ଏଠାରେ ଖଟ ଉପରେ ବିଜେ ହେବା ପରେ ଶ୍ରୀ ମଦନମୋହନଙ୍କୁ ପଚାଂମୃତରେ ସ୍ନାନ କରାଯାଇଥାଏ । ତତ୍ପରେ ଫୁଲ, ଚନ୍ଦନ ଲାଗି ହୋଇ ବେଶ ବଢିଥାଏ ଓ ଶୀତଳ ଭୋଗରେ ଖିରି, ଅମାଲୁ ଭୋଗ ହୋଇ ବନ୍ଦାପନା ବଢିବା ପରେ ଦକ୍ଷିଣୀ ଘରସ୍ଥ ସ୍ଵ ଆସ୍ଥାନକୁ ପ୍ରତ୍ୟାବର୍ତନ କରିଥାନ୍ତି ।
ଅଭିଷେକ ସମୟରେ ଛତି ଟେକା ଯାଇଥାଏ । ଘଂଟା , କାହାଳୀ , ମହୁରୀ ବାଜୁଥାଏ । ଅଭିଷେକ ବଢିବା ପରେ ଭିତରେ ପଣା ଭୋଗ ଓ ଅନ୍ୟାନ୍ୟ ନୀତି ହୋଇଥାଏ ।