ବଲାଙ୍ଗିର, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ୯୧ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଗତକାଲି ସଂଧ୍ୟା ୫ ଟା ରେ ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କାରଙ୍କ ସଂଯୋଜନାରେ ନନ୍ଦିନୀ ଶତପଥୀ ଶ୍ରୁତି ଆଲୋଚନା ଚକ୍ର ”ଦରଦାମ ବୃଦ୍ଧି ସରକାର ଅସହାୟ କାହିଁକି” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଭୋଟ ସର୍ବସ୍ବ ରାଜନୀତିରେ ଭୋଟ ପାଇଁ ସରକାର ମାନେ ଗୋଷ୍ଠି ସ୍ବାର୍ଥକୁ ଗୁରୁତ୍ଵ ଦେଇ ସମୂହ ସ୍ବାର୍ଥକୁ ଉପେକ୍ଷା କରୁଛନ୍ତି । ଏହି ଗୋଷ୍ଠି ସ୍ବାର୍ଥ ପାଇଁ ସମୂହ ସ୍ବାର୍ଥକୁ ଅଣଦେଖା କରୁଛନ୍ତି। ସରକାର ମାନେ ଜନ ବିରୋଧୀ ନୀତି ଅବଲମ୍ବନ କରିବାକୁ ପଛାଉ ନାହାନ୍ତି । ଏହାହିଁ ଦରଦାମ ବୃଦ୍ଧିର କାରଣ, ଭୋଟ ରାଜନୀତି ତ୍ୟାଗ କଲେ ଦରଦାମ ନିୟନ୍ତ୍ରଣ ହୋଇପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।
ଏହି ଆଲୋଚନାଚକ୍ରରେ ସଂସ୍କୃତି ଗବେଷକ ଡ. ଘାସିରାମ ମିଶ୍ର, ଚେମ୍ବର ଅଫ କମର୍ସ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ଆଇନଜୀବୀ ଭବାନୀ ଶଙ୍କର ଶତପଥୀ, ପ୍ରତିଭାବାନ କଲେଜ ଛାତ୍ରୀ ସ୍ତିତିପ୍ରଜ୍ଞା ତ୍ରିପାଠୀ, ଜେଆଇଟିଏମ୍ ଏସୋସିଏଟ୍ ପ୍ରଫେସର ପୁନ୍ୟୋତୟା ବିଶ୍ଵାଳ, ବଲାଙ୍ଗିର ନାଗରିକ କମିଟି ସାଧାରଣ ସମ୍ପାଦକ ମନୋରଞ୍ଜନ ସହୁ ପ୍ରମୁଖ ଆଲୋଚକ ଭାବରେ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଅତିଥି ମାନେ ନନ୍ଦିନୀ ଶତପଥୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ଓ ମା ସମଲେଶ୍ଵରୀଙ୍କ ପୂଜା ଅର୍ଚ୍ଚନା କରିଥିଲେ। ଏହି ଆଲୋଚନାଚକ୍ରରେ ବିଶିଷ୍ଟ ନାଗରିକ, ସାମ୍ବାଦିକ ମାନେ ଯୋଗଦେଇଥିଲେ।