ପୁରୀ, ଅକ୍ଷୟତୃତୀୟା ଠାରୁ ରଥନିର୍ମାଣ କାମ ଆଗେଇ ଚାଲିଛି। ବିଶ୍ଵକର୍ମା ମହାରଣାମାନେ ରଥ ନିର୍ମାଣରେ ନିମଗ୍ନ। ତୁମ୍ବ, ଅର, ପଇ ନିର୍ମାଣ ପରେ ଯୋଡ଼ା ଯାଇ ୪୨ଟି ଚକ ନିର୍ମାଣ ଶେଷ ହୋଇଛି। ଚକରେ ଅଖ ଯୋଡ଼ାଜାଇ ବଡଦାଣ୍ଡ ରେ ଦଣ୍ଡାୟମାନ। ଦଣ୍ଡା ବାଡ଼ିଆ ଯାଇ ଫ୍ରେମ ନିର୍ମାଣ ହୋଇଛି। ସବୁଠାରୁ ଗୁରୁତ୍ଵପୂର୍ଣ ବିଷୟ ରଥ ଠିକ ଅଛି କି ନାହିଁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ସାର୍ଟିଫିକେଟ ଦେଲେ ରଥ ଦକ୍ଷିଣ ମୋଡ ହୋଇ ସିଂହ ଦ୍ଵାରରେ ଲଗାଯିବ। ଚଳିତ ବର୍ଷ ଦେଖାଯାଇଛି ପୂର୍ତ୍ତ ବିଭାଗର ବେପାରୁଆ ମନୋଭାବ। କେବଳ ନାମାକୁମାତ୍ର ଯନ୍ତ୍ରୀ ଆସି ସଙ୍ଗେ ସଙ୍ଗେ ପଳାଉଥିବା ଦେଖାଯାଉଛି। ଅର ଫାଟ, ପଇଫାଟ ଦେଖା ଦେଉଛି।
କିଛି ବର୍ଷ ତଳେ ସୁଭଦ୍ରାଙ୍କ ରଥ ଅଖରେ ଫାଟ ସମ୍ପର୍କରେ ଗଣମାଧ୍ୟମ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେଥିପ୍ରତି ବିଭାଗ ଦୃଷ୍ଟି ନଦେବାରୁ ଅଖ ଫାଟିବାରୁ ଗାତ ଖୋଳି ଚକ କାଢି ଅଖ ଯୋଡ଼ା ଯାଇଥିଲା। ଖରା ଚଡକ ଫାଟ ଦେଖି ଯୋକିଆ, କ୍ଲାମ୍ପନିର୍ମାଣ ପାଇଁ ଯନ୍ତ୍ରୀ ମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ଜଣାଇଥାନ୍ତି। ମନ୍ଦିର ପ୍ରଶାସନ କମାରଶାଳରେ ଏହି ଯୋକିଆ, କ୍ଲାମ୍ପ ନିର୍ମାଣ କରି ଯୋଗାଇଥାନ୍ତି। ଚଳିତ ବର୍ଷ ଏଥିରେ ବ୍ଯତିକ୍ରମ ଦେଖିବାକୁ ମିଳିଛି। ଏବେ ଦର୍ପଦଳନ ରଥଚକ ପଇରେ ଦେଖାଦେଇଥିବା ଫାଟକୁ ମରାମତି କରାନଗଲେ ଆଗକୁ ବିପଦ ଦେଖାଦେବ ବୋଲି ପୁରୁଣା ରଥନିର୍ମାଣକାରୀ ମହାରଣାମାନେ ମତ ଦେଇଛନ୍ତି।