-
ସପ୍ତାହେ ବିତିଲା, ଚୋରଙ୍କ ସୁରାଗ୍ ପାଉନି ପୋଲିସ
ମୁଖୀଗୁଡା, କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଚୋରି ଘଟଣାର ସପ୍ତାହକ ପରେ ବି ଚୋରଙ୍କ ସୁରାଗ୍ ପାଇନି ପୋଲିସ । ଆଗକୁ ରଥଯାତ୍ରା ଥିବାବେଳେ ଅଦ୍ୟାବଧି ଚୋରି ସାମଗ୍ରୀ ଉଦ୍ଧାର ନହେବା ଏବଂ ଚୋରଙ୍କୁ ଧରିବାରେ ପୋଲିସ ସକ୍ଷମ ନହେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ପୋଲିସର ପାରିବାପଣିଆକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ଗତ ୩ ତାରିଖ ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର, ପିତଳ ସାମଗ୍ରୀ, ହୁଣ୍ଡିରେ ଥିବା ଟଙ୍କା ଚୋରି ହୋଇଥିବା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମୁଖୀଗୁଡା ଫାଣ୍ଡିରେ ଏତଲା ହୋଇଥିଲା । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଏଯାବତ୍ ଚୋରଙ୍କୁ ଧରିପାରିନାହିଁ ପୋଲିସ ।
ଅନ୍ୟପକ୍ଷରେ ଏନେଇ ପୋଲିସର ପ୍ରତିକ୍ରିୟା ନେବାରେ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ କହିଛନ୍ତି ଯେ, ଅଦ୍ୟାବଧି ଚୋର ମାନଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିପାରିନାହିଁ, ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି ।
ଅପରପକ୍ଷରେ ମୁଖୀଗୁଡା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ପ୍ରଶନ୍ନ ମିଶ୍ର ପୋଲିସର ତଦନ୍ତ ଉପରେ ଭରସା ରଖିଥିବା ବେଳେ ଯେଉଁଠାରେ ଭଗବାନ ସ୍ଵୟଂ ସୁରକ୍ଷିତ ନୁହଁନ୍ତି, ସେଠାରେ ସାଧାରଣ ଜନତା କେତେଦୂର ସୁରକ୍ଷିତ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ତେଣୁ ଏ ଦିଗରେ ତଦନ୍ତକୁ ଜୋରଦାର କରିବା ସହ ତୁରନ୍ତ ଚୋରି ସାମଗ୍ରୀ ଉଦ୍ଧାର କରିବା ଏବଂ ଚୋରଙ୍କୁ ପୋଲିସ ଗିରଫ କରୁ ବୋଲି ସାଧାରଣରେ ଦାବି ହେଉଛି ।