କଟକ, କଟକ ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ଠାବ ଘଟଣାରେ ବନ ବିଭାଗ ପକ୍ଷରୁ ଗୁରୁତର ହାତୀର ଚିକିତ୍ସା ଚାଲିଛି । ସାତକୋଶିଆ ଓ ନନ୍ଦନକାନନରୁ ଆସିଥିବା ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଟିମ୍ ଏହି ଗୁରୁତର ଦନ୍ତାହାତୀର ଚିକିତ୍ସା କରୁଛନ୍ତି । ତେବେ ଅଦ୍ୟାବଧି ହାତୀର ସ୍ଵାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ ।
ଡାକ୍ତରୀ ଟିମ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୌଣସି ଶିକାରୀର ଗୁଳିରେ ହାତୀଟି ଗୁରୁତର ହେବା ପରେ ପ୍ରାୟ ୧୫ ଦିନ ହେବ ଖାଦ୍ୟ ନଖାଇ ଅତ୍ୟନ୍ତ ଦୁର୍ବଳ ହୋଇପଡିଛି । ଫଳରେ ସେ ଗୋଟିଏ ସ୍ଥାନରେ ପଡି ରହିଛି । ହାତୀଟି ସେଠାରୁ ଉଠିବା ପାଇଁ ମଧ୍ୟ ସକ୍ଷମ ହୋଇପାରୁନାହିଁ । ଅନ୍ୟପକ୍ଷରେ ଯେଉଁ ସ୍ଥାନରେ ଗୁଳି ବାଜିଛି ତାହା ସଂକ୍ରମିତ ହୋଇ ପୋକ ହୋଇଯାଇଥିଲା । ତେଣୁ ଗତକାଲି ହାତୀର ଚିକିତ୍ସା କରାଯିବା ପରେ ସେଠାରେ ଔଷଧ ଲଗାଯାଇଥିଲା । ଗତକାଲି ରାତିରେ ହାତୀକୁ ଆମ୍ବ ଓ ଡାଳ ପତ୍ର ଖାଇବାକୁ ଦିଆଯାଇଥିଲା । ରାତିତମାମ ବନ ବିଭାଗର ଟିମ୍ ହାତୀକୁ ଜଗି ରହିଥିଲେ ।