
-
ସଶକ୍ତ ଅଭିଲେଖାଗାର ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା
ଭୁବନେଶ୍ୱର, ଅଭିଲେଖାଗାରଗୁଡ଼ିକ ହେଉଛନ୍ତି ଚଳନ୍ତି ଇତିହାସର ଗନ୍ତାଘର । ପରବର୍ତୀ ସମୟ ଓ ପିଢ଼ି ପାଇଁ ଅଭିଲେଖାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଜି ପୂର୍ବାହ୍ନରେ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ‘ଆନ୍ତର୍ଜାତିକ ଅଭିଲେଖାଗାର ଦିବସ’ ପାଳନ କାର୍ଯ୍ୟକ୍ରମରେ ଅତିଥିମାନେ ଉପରୋକ୍ତ ମର୍ମରେ ଅଭିଲେଖାଗାରର ତାତ୍ପର୍ଯ୍ୟ ନେଇ ଆଲୋକପାତ କରିଛନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଚଳିତ ବର୍ଷ ବିଶ୍ୱ ଅଭିଲେଖାଗାର କଂଗ୍ରେସର ପ୍ରସ୍ତାବ କ୍ରମେ ‘ଆମେ ଅଭିଲେଖାଗାର’କୁ ପ୍ରସଙ୍ଗ କରାଯାଇଛି । ବ୍ୟକ୍ତିଗତ ସ୍ତରରେ ଅଭିଲେଖ ସାମଗ୍ରୀର ସଂଗ୍ରହଣ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ଶ୍ରୀ ପାଢ଼ୀ ସମସ୍ତଙ୍କ ଅବଦାନ କ୍ରମେ ଅଭିଲେଖାଗାର ସଶକ୍ତ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ରଂଜନ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଅଭିଲେଖାଗାରର ପ୍ରାକ୍ତନ ଉପନିର୍ଦ୍ଦେଶକ ତଥା ସ୍ୱନାମଧନ୍ୟ ଅଭିଲେଖବିତ୍ ଡ. ଲଲାଟେନ୍ଦୁ ଦାସ ମହାପାତ୍ର ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ଅଭିଲେଖାଗାରର ବିବର୍ତନ ଇତିହାସ, ସାଂପ୍ରତିକ ପରିପ୍ରେକ୍ଷୀରେ ସେଗୁଡ଼ିକର ଭୂମିକା, ବ୍ୟକ୍ତିଜୀବନରେ ଅଭିଲେଖ ସଂରକ୍ଷଣର ମହତ୍ୱ ଓ ରାଜ୍ୟ ଅଭିଲେଖାଗାରର ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିବା ସହ ବିଭିନ୍ନ ନଥିପତ୍ର ଏବଂ ଦଲିଲ ଦସ୍ତାବିଜ୍ ତଥା ଦୁଷ୍ପ୍ରାପ୍ୟ ପୋଥି ଇତ୍ୟାଦିର ଡିଜିଟାଇଜେସନ୍ ଉପରେ ଗୁରୁତ୍ୱ ଦେଇଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ୍ ଅଲ୍ଲୀ ଦିବସ ପାଳନର ଆଭିମୁଖ୍ୟ ଉପରେ ସୂଚନା ଦେବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ଐତିହାସିକ ଡ. ଅଶୋକ ପଟ୍ଟନାୟକ, ଐତିହାସିକ ପ୍ରଫେସର ପ୍ରସନ୍ନ କୁମାର ମିଶ୍ର, ପୂର୍ବତନ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ସଂପାଦକ ତଥା ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ, ବିବେକାନନ୍ଦ ଜେନା ଓ ସୁବୋଧ କାନୁନ୍ଗୋ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଅଭିଲେଖାଗାର ପକ୍ଷରୁ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।