
କେନ୍ଦ୍ରାପଡ଼ା, ୯ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଗୁର ଗଣ୍ଡପାଟଣା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୋଖରୀ କୂଳର ମାଟି ଅତଡ଼ା ଧସି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଦୁଇ ନାବାଳକଙ୍କ ମଧ୍ୟରୁ ଜଣକର ବୟସ ୯ ବର୍ଷ ଓ ଅନ୍ୟ ଜଣକର ବୟସ ୧୨ ବର୍ଷ ବୋଲି ଜଣାପଡିଛି ।
ଦୁହେଁ ପୋଖରୀ କୂଳରେ ଖେଳୁଥିବା ବେଳେ ହଠାତ୍ ମାଟି ଅତଡ଼ା ଧସିଥିଲା । ଫଳରେ ଦୁଇ ନାବାଳକ ମାଟିରେ ପୋତି ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଦୁହିଁଙ୍କୁ ମୁର୍ମୂଷୁ ଅବସ୍ଥାରେ ସେଠାରୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।