
ଭଦ୍ରକ, ଶିକ୍ଷକଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଭଦ୍ରକ ସହରର ଅପର୍ତିବିନ୍ଧା ଛକରେ ଥିବା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ଆଜି ସ୍ଥାନୀୟ ନିଉ କଲୋନୀରେ ରହୁଥିବା ଆଗରପଡ଼ା ହାଇସ୍କୁଲର ଶିକ୍ଷକ ଅଶୋକ ଖିଲାର ୧୨ ଲକ୍ଷ ଟଙ୍କା ଉଠାଣ କରିଥିଲେ । ଆସନ୍ତାକାଲି ଜମି କ୍ରୟ ପାଇଁ ସେ ବ୍ୟାଙ୍କରୁ ଏହି ଟଙ୍କା ଉଠାଣ କରି ବାହାରକୁ ଆସି ଏକ ଚା ଦୋକାନ ନିକଟରେ ଛିଡା ହୋଇଥିଲେ । ଏହି ସମୟରେ ପଲସର୍ ବାଇକ୍ ରେ ଦୁଇ ଜଣ ଭଦ୍ରକ କଲେଜ ଡ୍ରେସ୍ ପିନ୍ଧିଥିବା ଯୁବକ ଆସି ତାଙ୍କ ହାତରୁ ଟଙ୍କା ବ୍ୟାଗଟିକୁ ଛଡାଇ ନେଇ ପଳାଇଥିଲେ । ସହରର ଜନଗହଳି ପୂର୍ଣ୍ଣ ଅଂଚଳରୁ ଦିନ ୧୨ଟାରେ ଏଭଳି ଲୁଟ୍ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ସହରାଚଂଳ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।