ବୌଦ୍ଧ,ବୌଦ୍ଧ ଜିଲାର ଦେବୋତର ବିଭାଗର ଚରମ ଅବହେଳା ଯୋଗୁଁ ଜିଲାରେ ଧର୍ମାନୁଷ୍ଠାନ ଗୁଡିକର ପରିଚାଳନା ବେଆଇନ ଭାବେ ଚାଲିଛି । ଏହା ସହିତ ବିଭାଗୀୟ ଅପାରଗତା ଫଳରେ ଜିଲାରେ ସେବାୟତମାନେ ମାସିକ ଦରମା ପାଉନଥିବା ବେଳେ ଠାକୁରମାନେ ଭୋକରେ ରହୁଛନ୍ତି । ବୌଦ୍ଧ ଜିଲାରେ ୨୦୦ରୁ ଅଧିକ ଧର୍ମାନୁଷ୍ଠାନ ଦେବୋତର ବିଭାଗ ଅଧିନରେ ରହିଥିବା ବେଳେ ଖୋଦ ଦେବୋତର ବିଭାଗ ପାଖରେ ଏନେଇ କୌଣସି ତଥ୍ୟ ନାହିଁ । ସେହିପରି ବୌଦ୍ଧ ଉପଜିଲାପାଳ ତଥା ଜିଲା ଦେବୋତ୍ତର କମିଶନରଙ୍କ ପ୍ରତ୍ୟକ୍ଷ ତଚ୍ଛ୍ୱାବଧାନରେ ୧୫ ଟି ଧର୍ମାନୁଷ୍ଠାନ ରହିଥିବା ବେଳେ ସେନେଇ ମଧ୍ୟ କୌଣସି ତଥ୍ୟ , ଫାଇଲ, ସୂଚନା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାହିଁ ।
ଜିଲାରେ ରହିଥିବା ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ମଧ୍ୟରୁ ଅନେକାଂଶ ସେବାୟତମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଆଉ କେତେକ ସ୍ଥାନୀୟ ଭାବେ ଗଠିତ ପରିଚାଳନା କମିଟି ମାଧ୍ୟମରେ ପରିଚାଳନା କରାଯାଉଛି । ରାଜ୍ୟ ଦୋବୋତର ବିଭାଗ ଆଇନ କିମ୍ବା ବିଭାଗର ଅନୁମୋଦନ କ୍ରମେ ଜିଲାରେ କୌଣସି ପରିଚାଳନା କମିଟି ଗଠନ କରାଯାଇନାହିଁ । ଜିଲାରେ ରହିଥିବା ଧର୍ମାନୁଷ୍ଠାନ ଗୁଡିକରେ ରହିଥିବା ପରିଚାଳନା କମିଟି ଗଠନ କିମ୍ବା ଏନେଇ କୌଣସି ସୂଚନା ବିଭାଗ ପାଖରେ ନଥିବା ଗତମାସରେ ବୌଦ୍ଧ ଜିଲା ଗସ୍ତରେ ଆସିଥିବା ବ୍ରହ୍ମପୁର ଅତିରିକ୍ତ ଦେବୋତର କମିଶନର ପ୍ରକାଶ କରିଥିଲେ ।
ସେହିପରି ବୌଦ୍ଧ ଉପଜିଲାପାଳ ତଥା ଜିଲା ଦେବୋତର କମିଶନର ମଧ୍ୟ ଏସଂପର୍କରେ ସଂପୂର୍ଣ୍ଣ ନିରବ ରହିଛନ୍ତି । ଜିଲାସ୍ତରରେ ଉପଜିଲାପାଳ ତଥା ଜିଲା ଦେବୋତ୍ତର କମିଶନରଙ୍କ ଉଦାସିନତା ଯୋଗୁଁ ଜିଲାରେ ଧର୍ମାନୁଷ୍ଠାନ ଗୁଡିକ ଅବହେଳିତ ହୋଇ ରହିଛନ୍ତି । ଜିଲାପ୍ରଶାସନ ହେଉ ଅବା ଜିଲା ଦେବୋତ୍ତର କମିଶନର ସେମାନଙ୍କ ଦାୟିତ୍ୱ କହିଲେ କେବଳ ବୌଦ୍ଧ ରଥଯାତ୍ରା ଓ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରକୁ ବୁଝିଥାଆନ୍ତି । ମାତ୍ର ଜିଲା ପ୍ରଶାସନ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ମଧ୍ୟ ସଠିକ ଭାବରେ କରୁନାହାନ୍ତି । ମନ୍ଦିର ଉନ୍ନୟନ ପାଇଁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହାର ସଠିକ ପରିଚାଳନା ନେଇ ଦେବୋତର ଆଇନ ପ୍ରକାରେ ଏବଂ ରାଜ୍ୟ ଦେବୋତରଙ୍କ ଅନୁମୋଦନ ରେ ପରିଚାଳନା କମିଟି ଗଠନ କରାଯାଉନାହିଁ । ମନ୍ଦିର ନୂତନ କମିଟି ଗଠନ ନେଇ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ ସହିତ ଜିଲାପାଳ, ଉପ ଜିଲାପାଳଙ୍କ ସହିତ ଅନେକ ଆଲୋଚନା ହୋଇଥିଲେ ମଧ୍ୟ ସବୁ ପ୍ରତିଶୃତି ପାଣିର ଗାର ପାଲଟିଛି । ଜିଲାର ଅନ୍ୟ ସବୁ ଧର୍ମାନୁଷ୍ଠାନ ପ୍ରଶାସନ ପାଇଁ ସାବତ ସନ୍ତାନ ସାଜିଥିବା ଅଭିଯୋଗ ହେଉଛି । ଜିଲା ଦେବୋତର କମିଶନରଙ୍କ ବଜେଟ ପ୍ରକାରେ ରାଜ୍ୟରୁ ଜିଲା କୁ ଅନୁଦାନ ଆସିଥାଏ । ଜିଲାରୁ ପ୍ରତିବର୍ଷ ସମସ୍ତ ଧର୍ମାନୁଷ୍ଠାନ ପରିଚାଳନା ପାଇଁ ଏକ ବଜେଟ ତିଆରି କରାଯାଇ ରାଜ୍ୟ ଦୋବାତ୍ତର ବିଭାଗକୁ ଦିଆଯିବା କଥା ମାତ୍ର ତାହା ହେଉନାହିଁ । ଫଳରେ ଜିଲାକୁ ରାଜ୍ୟ ଅନୁଦାନ ଆସିପାରୁନାହିଁ । ଅନ୍ୟପକ୍ଷରେ ରାଜ୍ୟରୁ ଦୟାପୂର୍ବକ ଆସୁଥିବା ଅନୁଦାନକୁ ରଥଯାତ୍ରାରେ ଖର୍ଚ୍ଚ କରାଯାଉଥିବା ବେଳେ ଅନୁଦାନର ଖର୍ଚ୍ଚ ସଂପର୍କିତ ରିପୋର୍ଟ ମଧ୍ୟ ରାଜ୍ୟ ଦୋବୋତ୍ତର ବିଭାଗକୁ ଦିଆଯାଉନାହିଁ । ଫଳରେ ପ୍ରତି ବର୍ଷ ଆସୁଥିବା ଯତକିଂଚିତ ଅନୁଦାନ ମଧ୍ୟ ଯେକୌଣସି ସମୟରେ ବନ୍ଦ ହୋଇଯିବାର ଆଶଂକା ରହିଛି । ସରକାରି ଅନୁଦାନ ଅଭାବରୁ ଦେବୋତର ବିଭାଗର ବିନା ଅନୁମୋଦନରେ ଗଠିତ ମନ୍ଦିର କମିଟି ସବୁ ବିଭିନ୍ନ ଉପାୟରେ ପାଣ୍ଠି ସଂଗ୍ରହ କରି ମନଇଚ୍ଛା ଖର୍ଚ୍ଚ କରୁଛନ୍ତି । ଅନ୍ୟପକ୍ଷରେ ବେଆଇନ ଭାବେ ହେଉଥିବା ପାଣ୍ଠି ସଂଗ୍ରହ, ଖର୍ଚ୍ଚ ର ତଦାରଖ ଏବଂ ପରିଚାଳନା ସେସବୁର ନିୟନ୍ତ୍ରଣ କରାଯିବା ନେଇ ଜିଲା ପ୍ରଶାସନରୁ ଆରମ୍ଭ କରି ରାଜ୍ୟ ଦେବୋତର ବିଭାଗ ପର୍ଯ୍ୟନ୍ତ କୌଣସି ପଦକ୍ଷେ ଗ୍ରହଣ କରାଯାଉନାହିଁ । ଫଳରେ ଅନେକ ସ୍ଥାନରେ ଅସାମାଜିକ ତତ୍ୱ , ଖଳ ପ୍ରକୃତିର ଲୋକେ ଧର୍ମାନୁଷ୍ଠାନ ଗୁଡିକରେ ଅନାଧିକାର ଭାବେ ନିଜର ପ୍ରଭୁତ ଜାହିର କରି ଧର୍ମାନୁଷ୍ଠାନର ପାଣ୍ଠି ସବୁକୁ ହରିଲୁଟ କରୁଛନ୍ତି । ଜିଲାରେ ରହିଥିବା ପୁରାତନ ଓ ନୂତନ ମନ୍ଦିର ସବୁ ଦେବୋତର ବିଭାଗ ଦ୍ୱାରା ଅଧିଗ୍ରହଣ କରାଯିବା । ବୌଦ୍ଧ ଜିଲାକୁ ସ୍ୱତନ୍ତ୍ର ଦେବୋତର ସର୍କଲ ଘୋଷଣା କରାଯାଇ ଜଣେ ଅଧିକାରୀଙ୍କୁ ଅବସ୍ଥାପିତ କରାଯିବା । ଜିଲାରେ ରହିଥିବା ସମସ୍ତ ମନ୍ଦିରଗୁଡିକର ଶୃଙ୍ଖଳିତ ପରିଚାଳନାର ବ୍ୟବସ୍ଥା କରାଯିବା । ଜିଲାର ସମସ୍ତ ମନ୍ଦିରର ସୁପରିଚାଳନା ନିମନ୍ତେ ଦେବୋତର ବିଭାଗ ପକ୍ଷରୁ ନିୟମ ଅନୁଯାୟୀ ମନ୍ଦିର ପରିଚାଳନା କମିଟି ମାନ ଗଠନ କରାଯିବା ସହିତ ନିୟମିତ ତଦାରଖ କରାଯିବା । ସମସ୍ତ ମନ୍ଦିରର ଅଧିନରେ ରହିଥିବା ସ୍ଥାବର ଅସ୍ଥାବର ସମ୍ପତିର ପୁନଃରୁଦ୍ଧାର କରାଯିବା ନେଇ ବୁଦ୍ଧିଜିବୀ ଫୋରମ ପକ୍ଷରୁ ବ୍ରହ୍ମପୁର ଅତିରିକ୍ତ ଦେବୋତର କମିଶନର ଙ୍କୁ ତାଙ୍କ ବୌଦ୍ଧ ଗସ୍ତ ସମୟରେ ପ୍ରସ୍ତାବ ଦିଆଯାଇଥିଲା ।