-
ଗ୍ରାମବାସୀଙ୍କ ୩ ଦିନ ଧାରଣା ପରେବି ଜିଲାପାଳ ଓ ପ୍ରଶାସନ ସମସ୍ତେ ନିରବ
ବୌଦ୍ଧ, ବୌଦ୍ଧ ଜିଲାରେ ଦ୍ୱିନଦ୍ୱିପହରେ ମନରେଗା ଯୋଜନାରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ ହେଉଥିବା ବେଳେ ପ୍ରଶାସନ ସବୁ ଜାଣି ନିରବ ରହିବା ଜିଲାବାସୀଙ୍କୁ ଆଶ୍ଚର୍ଯ କରିଛି । ଏପରିକି ଗ୍ରାମବାସୀମାନେ ପ୍ରମାଣ ଦାଖଲ କରିବା ସହ ୩ ଦିନ ହେଲା ଅହୋରାତ୍ର ଗଣଧାରଣା ରେ ବସିଥିଲେ ବି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି ଜିଲାପାଳ । କଂଟାମାଳ ବ୍ଳକର ସଦର ପଂଚାୟତ ଅନ୍ତର୍ଗତ ସରଗିପାଲି ଗ୍ରାମରେ ରାସ୍ତା ନିର୍ମାଣ ନକରି ମନରେଗା ଯୋଜନାରେ ମଂଜୁର ସମସ୍ତ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ବ୍ଳକ ସଦର ମହକୁମାରୁ ମାତ୍ର ୨ କିମି ଦୂରରେ ରହିଥିବା ସରଗିପାଲି ଗ୍ରାମରୁ ବନ୍ଧପାଲି ଗ୍ରାମ ପର୍ଯ୍ୟନ୍ତ ମେଟାଲ ରୋଡ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ଉକ୍ତ ରାସ୍ତାରେ ଗୋଟିଏ ବି ଗାଡି ମାଟି କିମ୍ବା ମେଟାଲ ନପକାଇ ସମସ୍ତ ଅର୍ଥକୁ ବିଭାଗୀୟ ଅଧିକାରୀମାନେ ବିଲ କରି ଆତ୍ମସାତ କରିଥିବା ନେଇ ସରଗିପାଲି ଗ୍ରାମବାସୀମାନେ ଜିଲାପାଳଙ୍କ ସମତେ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ପୂର୍ବରୁ ଅନେକଥର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲାପାଳ ଓ ଅନ୍ୟ ଅଧିକାରୀମାନେ ନିର୍ଭର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ତେ ନିରବ ରହିଛନ୍ତି । ଏହା ବିରୋଧରେ ଗ୍ରାମବାସୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ହେଲା ଦିନରାତି ଗଣଧାରଣାରେ ବସିଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପର୍ଯ୍ୟନ୍ତ ଗଣଧାରଣା ଚାଲୁରହିବ ବୋଲି ଗ୍ରାମବାସୀମାନେ କହିଛନ୍ତି । ଅନ୍ୟପଟେ କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ , ପଞ୍ଚାୟତ କନିଷ୍ଠଯନ୍ତ୍ରୀ କାହ୍ନୁଚରଣ ସ୍ୱାଇଁ କମ୍ପ୍ୟୁଟର ପ୍ରୋଗ୍ରାମର ସୁଷନ୍ତ ବେହେରା ଓ ଅନ୍ୟମାନେ ସରଗିପାଲି ଗ୍ରାମରେ ପହଂଚି ରାସ୍ତା ନିର୍ମାଣ ନେଇ ଆଲୋଚନା କରିଥିଲେ । ତେବେ ଅସନ୍ତୁଷ୍ଟ ଗ୍ରାମବାସୀ ବିଡ଼ିଓଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ଘେରିଯାଇ ୧ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ । କଣ୍ଟାମାଳ ପୁଲିସ ସହାୟତାରେ ଅଧିକାରୀ ମାନେ ମୁକୁଳିଥିଲେ ।