ପୁରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଆରମ୍ଭ ହୋଇଛି । ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗକୁ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂହ ଓ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଜୁନ୍ ୧୪ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ଦୁଇ ବର୍ଷ କରୋନା ପାଇଁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ବିନା ଭକ୍ତରେ ଆୟୋଜିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କରୋନାର ପ୍ରକୋପ କମି ଥିବାରୁ ଶ୍ରୀଜୀଉଙ୍କୁ ସ୍ନାନମଣ୍ଡପରେ ହାତୀବେଶରେ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ।
ପ୍ରକାଶ ଥାଉକି, ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ ପାଇଁ ଗତକାଲି ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଧ୍ୟ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଥିଲା ।