-
୧୫ ଦିନ ପାଇଁ ଛୁଟି ଆବେଦନ କଲେ ଅବକାରୀ ମୋବାଇଲ ଇନ୍ସପେକ୍ଟର ସଞ୍ଜୟ
ପୁରୀ, ପୋଲିସ ମଦ ବେପାରୀଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ ଆଣି ଚର୍ଚ୍ଚାର ପରିଧିକୁ ଆସିଥିବା ଅବକାରୀ ମୋବାଇଲ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ୧୫ ଦିନ ପାଇଁ ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିକଟରେ ଛୁଟି ଆବେଦନ କରିଛନ୍ତି । ସେ ନିଜର ମାନସିକ ଓ ଶାରିରୀକ ଅସୁସ୍ଥତା ପାଇଁ ଛୁଟି ଆବେଦନ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ଅଧିକ୍ଷକ ଶ୍ରୀ ଜେନା ।
ସେହିପରି ୨୦୨୦ ରୁ ସେ ମାନସିକ ଭାବେ ଅସୁସ୍ଥ ଥିବା ନେଇ ଏହି ଆବେଦନରେ ଦର୍ଶାଇଛନ୍ତି ସଞ୍ଜୟ । କରୋନା ପରେ ସେ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ ଥିବା ଏବଂ ଏନେଇ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଔଷଧ ଖାଉଥିବା ଜଣାଇଛନ୍ତି । ତେବେ ବିଗତ କିଛି ଦିନ ହେବ ସେ ଏହି ଔଷଧ ଖାଇବା ବନ୍ଦ କରିଥିବା କହିଛନ୍ତି । ଏବେ ପୁଣି ଚିକିତ୍ସା ପାଇଁ ସେ ଛୁଟି ଚାହୁଁଥିବା ଚିଠିରେ ଦର୍ଶାଇଛନ୍ତି ।
ପ୍ରକାଶ ଥାଉକି, ପୁରୀ ପୋଲିସ ମଦ ବେପାରୀଙ୍କ ଠାରୁ ବଟି ଆଦାୟ କରୁଥିବା ସମ୍ପର୍କରେ ସେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜେନାଙ୍କ ଜରିଆରେ ଅବକାରୀ କମିଶନରଙ୍କୁ ଚିଠି ଲେଖିଥିଲେ । ତାଙ୍କର ଏହି ଚିଠି ପରେ ପୋଲିସ- ମଦ ବେପାରୀ ଲିଙ୍କ୍ ନେଇ ସାଧାରଣରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଥିଲା ।