ମାଲକାନଗିରି, ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ପାହାଡିଆ ଅଞ୍ଚଳ ଟିକରପଡା ଗ୍ରାମରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ଷଡଙ୍ଗୀଙ୍କ ନେତୃତ୍ଵରେ ଏକ ଦଳ ଦୀର୍ଘ ଦୁଇ କିଲୋମିଟର ପାହାଡିଆ ଓ ଘାଟିରାସ୍ତା ଅତିକ୍ରମ କରି ଟିକରପଡାରେ ପହଞ୍ଚିଥିଲେ । ନିଜ ଗ୍ରାମରେ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଦେଖି ଗ୍ରାମବାସୀ ଖୁସିହେବା ସହ ସ୍ଥାନୀୟ ବିଦ୍ୟାଳୟ ଗୃହକୁ ସେମାନଙ୍କୁ ପାଛୋଟି ନେଇଥିଲେ, ସେଠାରେ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ପାଖାପାଖି ୬୦ ଜଣ ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ଥିବାବେଳେ, ସେଥି ମଧ୍ୟରୁ ଛଅ ଜଣ ମ୍ୟାଲେରିଆ ଜ୍ଵରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ଓ ଆଉ ଛଅ ଜଣଙ୍କର କଫ ପରୀକ୍ଷା ନିମନ୍ତେ କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବାକୁ ଚିକିତ୍ସା ଅଧିକାରୀ କହିଥିଲେ। ଏହି ଶିବିରରେ ରୋଗୀ ମାନଙ୍କୁ ଫୁଟା ପାଣି ଓ ମଶାରିର ବ୍ୟବହାର କରିବା ସହ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ପାଇଁ ସ୍ବାସ୍ଥ୍ୟକର୍ମୀ ମାନେ ଗାଁ ଲୋକଙ୍କୁ ବୁଝାଇଥିଲେ ।
ଏହି ଶିବିରରେ ଅନ୍ୟ ସ୍ଵାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଡ଼.ରାମଚନ୍ଦ୍ର ଟୁଡୁ, ରଞ୍ଜନ କୁମାର ନାୟକ, ଶୁଭଲକ୍ଷ୍ମୀ ଦାସଙ୍କ ସହିତ ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସମସ୍ତ ରୋଗୀ ମାନଙ୍କୁ ନିରାମୟ ଯୋଜନାରେ ଉପଲବ୍ଧ ବିନାଦେୟର ଔଷଧ ଯୋଗାଇ ଦେଇଛନ୍ତି । ଗରିବ ଲୋକମାନଙ୍କୁ ଏଭଳି ସ୍ବାସ୍ଥ୍ୟ ସେବା ଉପଲବ୍ଧ କରେଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଡାକ୍ତର ସନ୍ତୋଷ କୁମାର ଷଡଙ୍ଗୀଙ୍କୁ ପ୍ରଶଂସା କରିଛନ୍ତି।