ଭୁବନେଶ୍ୱର, ମୌସୁମୀ ପୂର୍ବରୁ ପରିମଳ ବ୍ୟବସ୍ଥା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ବଳିତ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ବିଦ୍ୟୁତ୍, ଜଳ ଯୋଗାଣ ଓ ଡ୍ରେନେଜ ଆଦି ବିଭିନ୍ନ ସମସ୍ୟା ଓ ଏହାର ସ୍ଥାୟୀ ପ୍ରତିକାର ନେଇ ବିସ୍ତୃତ ଆଲୋଚନା ହୋଇଛି ।
ପବ୍ଲିକ୍ ହେଲଥ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ସ୍ୱାସ୍ଥ୍ୟ, ଜଳଯୋଗାଣ, ବିଦ୍ୟୁତ୍, ପରିମଳ, ବିଦ୍ୟୁତ୍ ଓ ଡ୍ରେନେଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା । ଆଗକୁ ମୌସୁମୀ ଥିବା ବେଳେ ପରିମଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କର୍ପୋରେଟର । ପରିମଳ ବ୍ୟବସ୍ଥାରେ ନିୟୋଜିତ ଥିବା ବିଭିନ୍ନ ଘରୋଇ ସଂସ୍ଥାଙ୍କ କାର୍ଯ୍ୟକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି ।
ସହରର ଆଲୋକୀକରଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ଯାଇ ସମସ୍ତ ୱାର୍ଡ଼ରେ ହାଇମାଷ୍ଟ ଲାଇଟ୍ ଲଗାଯିବା ଓ ବିଏମ୍ସିର ୩ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଭଳି ୨୪ ଘଂଟିଆ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିପାରିବ ସେଥିନେଇ ପ୍ରସ୍ତାବ ଆସିଥିଲା । ଭୁବନେଶ୍ୱରକୁ ପଲିଥିନ୍ ମୁକ୍ତ କରିବାକୁ ଯାଇ ଏନଫୋର୍ସମେଂଟ କଡାକଡି କରିବାକୁ ନିଷ୍ପତି ନିଆଯାଇଛି । ବର୍ତମାନ କେବଳ ଗୋଟିଏ ସେଂଟ୍ରାଲ ସ୍କ୍ୱାର୍ଡ ଥିବା ବେଳେ ୩ଟି ଯୋନରେ ଅଧିକ ୩ଟି ସ୍କ୍ୱାର୍ଡ଼ ଗଠନ କରାଯିବ । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆବଶ୍ୟକ ଥିବା ବାୟୋ ମାଇନିଂ ପ୍ଲାଂଟକୁ କିଭଳି କମିଟିର ହସ୍ତକ୍ଷେପ ଜରିଆରେ କାର୍ଯ୍ୟକ୍ଷମ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା । ପ୍ରତି ୱାର୍ଡ଼ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ଜରିଆରେ ୫ଶହ ଲେଖାଏଁ ବୃକ୍ଷ ରୋପଣ କରାଯିବାକୁ ନିଷ୍ପତି ନିଆଯାଇଛି ।
ସେହିଭଳି ଜଳସ୍ତର ବୃଦ୍ଧି କରିବା ପାଇଁ ୩୦୬୨ଟି ବର୍ଷା ଜଳ ଅମଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ସହରରେ ଥିବା ସମସ୍ତ ଇ-ଶୌଚାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିବା କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଷ୍ଟାଣ୍ଡିଂ କମିଟିରେ କେଉଁ କେଉଁ କାମକୁ ପ୍ରାଥମିକତା ଦେଇ କରାଯିବ ବିଶେଷ କରି ତାରି ଉପରେ ଆଲୋଚନା ହୋଇଥିଲା । ପରିମଳ, ଡ୍ରେନେଜ, ଇଲେକ୍ଟ୍ରିଫିକେସନ ଭଳି ମୁଖ୍ୟ ସମସ୍ୟା ବର୍ଷା ପୂର୍ବରୁ ସୁଧାରିବାର ଆବଶ୍ୟକ ରହିଛି । ଏଣୁ ଏହି ସବୁ କାମକୁ ସମସ୍ତଙ୍କ ମଧ୍ୟରେ ବଂଟନ ହୋଇଛି,”କହିଛନ୍ତି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାର ।
ସହର ସଫେଇ କୁ ନେଇ ଅଭିଯୋଗ ଆସୁଛି । ଯିଏ ଏହି ଦାୟିତ୍ୱ ନେଇଛନ୍ତି ତାଙ୍କର ଅବଧି ସରୁଛି । ଖୁବଶୀଘ୍ର ନୂଆ ଏଜେନ୍ସି ମାଧ୍ୟମରେ କିଭଳି ଭଲ କାମ ହୋଇ ପାରିବ ତାକୁ ଗୁରୁତ୍ୱ ଦିଆଯିବ । ଜୁଲାଇ ୧ ତାରିଖ ଠାରୁ ନୂଆ ଏଜେନ୍ସି ପରିମଳ କାମ ବୁଝିବ । ସେହିଭଳି ସିଙ୍ଗଲ ୟୁଜ ପ୍ଲାଷ୍ଟିକ କୁ ନେଇ ୩ ଜୋନରେ ୩ ଟି ନୂଆ ସ୍କ୍ୱାର୍ଡ ଗଠନ କରାଯିବ ଓ ନିୟମିତ ବ୍ୟବଧାନ ରେ ପ୍ଲାଷ୍ଟିକ ବନ୍ଦ ଉପରେ ଗୁରୁତ୍ୱ ଦିଆଯିବ ବୋଲି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ।