ଗଞ୍ଜାମ,କୋଟିପତି ନିଶା ବେପାରୀର ୬ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ବାଜ୍ୟାପ୍ତି ହୋଇଛି । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜେଲ୍ ରେ ଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକଙ୍କ ୬ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତିକୁ ବାଜ୍ୟାପ୍ତି କରିଛି ଅର୍ଥ ମନ୍ତ୍ରାଳୟ କୋଲକାତା କାର୍ଯ୍ୟାଳୟର କମ୍ପିଟେଂଟ ଅଥୋରିଟି । ଏସବୁ ମଧ୍ୟରେ ରହିଛି ୪ କୋଟି ୫୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୭୫ ଲକ୍ଷ ଟଙ୍କା, ବ୍ୟାଙ୍କ ଆକାଉଂଟରେ ଜମାଥିବା ୫ ଲକ୍ଷ ଟଙ୍କା, ୩ ଲକ୍ଷ ଟଙ୍କାର ଏଲଆଇସି ପଲିସି ଏବଂ ୩୨ ଲକ୍ଷ ଟଙ୍କାର ଜମି । ଏହି ସବୁ ସମ୍ପତି ବାଜ୍ୟାପ୍ତି ହୋଇଥିବା ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଚିଠି ହୋଇଥିବା ଖଲ୍ଲିକୋଟ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ୨୦୨୧ ମସିହା ଅକ୍ଟୋବର ୨୨ ତାରିଖରେ ରଜନୀକାନ୍ତ ଏକ ସ୍କୁଟି ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ତାକୁ ଗିରଫ କରିଥିଲା । ପରେ ତାଙ୍କ ଘରେ ଚଢ଼ଉ କରାଯାଇ ଗଞ୍ଜେଇ ୩୫ କେଜି ଗଞ୍ଜେଇ, ୧୦ କେଜି ଅଫିମ ଜବତ କରିଥିଲା । ଚଢ଼ଉ ସମୟରେ ରଜନୀକାନ୍ତଙ୍କ ଘରୁ ୮ କେଜି ୫୦୦ ଗ୍ରାମ ସୁନା ଅଳଙ୍କାର ଓ ନଗଦ ୭୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏ ସଂକ୍ରାନ୍ତରେ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ପରେ ପୁଲିସ ରଜନୀକାନ୍ତଙ୍କ ଅର୍ଥନୈତିକ କାରବାର ବାବଦରେ ତଦନ୍ତ କରିବାକୁ କମ୍ପିଟେଂଟ ଅଥରିଟିଙ୍କୁ ଅନୁରୋଧ କରିଥିଲେ । ଅଥରିଟି ଏକ ମାମଲା ରୁଜୁ କରି ଏନେଇ ତଦନ୍ତ ଆରମ୍ଭ କରିଥିଲେ । ଅଥୋରିଟି ପକ୍ଷରୁ ରଜନୀକାନ୍ତଙ୍କୁ ପଚରାଉଚରା କରାଯାଇଥିବା ବେଳେ ସେ ସମ୍ପତି କେମିତି ରୋଜଗାର କରିଛନ୍ତି ତାହାର ସନ୍ତୋଷଜନକ ଉତର ରଖିପାରି ନ ଥିଲେ । ଯାହା ଫଳରେ ଜୁନ ୪ ତାରିଖରେ ତାଙ୍କ ସମସ୍ତ ସମ୍ପତି ବାଜ୍ୟାପ୍ତି କରାଯାଇଥିବା ନେଇ କମ୍ପିଟେଂଟ ଅଥୋରିଟି ଥାନା ଅଧିକାରୀଙ୍କୁ ଏକ ମେଲ୍ ଯୋଗେ ସୂଚନା ଦେଇଛନ୍ତି ।