
ପୁରୀ, ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ଓ ଦାଦାବଟି ମାଗିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ସଦର ଥାନା ଅଧିନ ଗୋପିନାଥପୁର ନୂଆସାହି ଗ୍ରାମର ରାଜେଶ ମିଶ୍ର, ବୁଦ୍ଧିଆବରର ତପନ ଖୁଣ୍ଟିଆ, ଶାସନ ଦାମୋଦରପୁରର ଭୂଆ ଓରଫ ସନ୍ତୋଷ ଦାଶ, ନାରାୟଣ ଦାଶ। ସେହିପରି ଦାଦାବଟି ମାଗିବା ଅଭିଯୋଗରେ ଖଣ୍ଡିଆବନ୍ଧର ଗୋରା ମଲ୍ଲିକକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଦୁଇଟି ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଓ ଲୁହାରଡ ସହ ନଗଦ ୯୫୦ ଟଙ୍କା ଜବତ କରିଛି। ପୂର୍ବରୁ ଏହି ଅଭିଯୁକ୍ତ ମାନଙ୍କ ନାଁ ରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ଜାତୀୟ ରାଜପଥରେ ଯାତାୟତ କରୁଥିବା ପଥଚାରୀ ମାନଙ୍କୁ ଏହି ଅଭିଯୁକ୍ତ ମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଡକାୟତି ଉଦ୍ୟମ କରୁଥିଲେ। ତେବେ ଖବର ପାଇ ପୁରୀ ସଦର ଥାନା ପୋଲିସ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ଆଜି ଏମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁରୀ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି।