ସମ୍ବଲପୁର, ରାଜ୍ୟ ସରକାର ପ୍ରଥମେ ୫ ଟି ମହାନଗର ନିଗମ ସମେତ ପୁରୀ ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଥିଲେ। ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକ, ପଲିଥିନ୍ ବ୍ୟବହାର, ବିକ୍ରି, ଆମଦାନୀ, ରପ୍ତାନୀ ଓ ବଣ୍ଟନ ଉପରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏସଏମସି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପ୍ରଥମେ ପ୍ରଥମେ ଧର ପଗଡ ପରେ ଏବେ ମହାନଗର ନିଗମ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଶିଥିଳ ପଡ଼ିଯାଇଥିବା ପଶ୍ଚିମ ଓଡ଼ିଶା କଲ୍ୟାଣ ସମିତି ସଭାପତି ଶ୍ରମିକ ନେତା ପ୍ରଶାନ୍ତ ପାଢ଼ୀ ଅଭିଯୋଗ କରିଛନ୍ତି। ପଲିଥିନ୍ ଓ ପ୍ଲାଷ୍ଟିକର ବହୁଳ ବ୍ୟବହାର ବର୍ତ୍ତମାନର ପରିବେଶ ପାଇଁ ମୁଖ୍ଯ ଚିନ୍ତାର କାରଣ ସାଜିଛି ବୋଲି ଶ୍ରୀ ପାଢ଼ୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ପ୍ରଶାସନର ଶୀଥିଳ କଟକଣାକୁ କେହି ମାନୁ ନଥିବା ଏକ ଦେହସୁହା ଘଟଣାରେ ପରିଣତ ହୋଇଛି ।
ସମ୍ବଲପୁର, ବୁର୍ଲା, ହୀରାକୁଦ ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାର କଟକଣା ସଂପ୍ରତି ପ୍ରହସନରେ ପରିଣତ ହୋଇଛି । ପନିପରିବା, ଫଳ, ରାସନ୍ , ଏପରିକି ଔଷଧ ଓ ଖାଦ୍ଯ ପଦାର୍ଥ ଦେଣନେଣ ଦିଗରେ ପଲିଥିନ୍ ବ୍ୟବହାର ଏକ ପ୍ରମୁଖ ମାଧ୍ୟମ ସାଜିଛି । ପଲିଥିନର ବ୍ୟବହାର ପରେ ତାକୁ ଏଣେତେଣେ ଫୋପାଡି ଦେବା ଫଳରେ ଆବର୍ଜନା ସୃଷ୍ଟି କରିବା ସହ ନାଳ ନର୍ଦ୍ଦମାରେ ପଡି ଆବର୍ଜନା ଜଳ ନିଷ୍କାସନ ହେବାରେ ଅନ୍ତରାୟ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଅପରପକ୍ଷେ ପ୍ଲାଷ୍ଟିକ ଓ ପଲିଥିନ ମାଟିରେ ପଡି ସହଜରେ ଜୈବ ବିଘଟନ ଘଟୁନଥିବା ଯୋଗୁଁ ଏକ ବିଷାକ୍ତ ପରିବେଶ ସୃଷ୍ଟି କରାଇ ଆସୁଛି । ଫଳରେ ମଣିଷ ପରିବେଶ ପ୍ରଦୂଷଣ ଭଳି ଚରମ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଶ୍ରୀ ପାଢ଼ୀ କହିଛନ୍ତି। ଦିନକୁ ଦିନ ପ୍ରଦୂଷଣ ବଢୁଥିଲେ ମଧ୍ୟ ଏହା ପ୍ରତି ପ୍ରଶାସନ କି କୈାଣସି ଲୋକପ୍ରତିନିଧିଙ୍କ ଦୃଷ୍ଟି ନ ପଡ଼ିବା ଜନଜୀବନ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି । ରାସ୍ତା କଡ ଉଠା ଦୋକାନୀ, ସମସ୍ତ ହୋଟେଲ, ପାନ ଦୋକାନ, ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନରେ ଏହାର ବହୁଳ ବ୍ୟବହାର କରାଯାଉଛି। ସମ୍ବଲପୁର, ବୁର୍ଲା, ହୀରାକୁଦ ସହର ସାରା ଗଦା ଗଦା ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାର ହେଉଥିବା ସତ୍ତ୍ବେ ବିଭାଗୀୟ ଉଦାସୀନତା ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ବୁର୍ଲା ସହରରେ ବହୁ ନାଳରେ ପ୍ଲାଷ୍ଟିକ, ପଲିଥିନ୍ ବର୍ଷ ବର୍ଷ ପଡ଼ିରହି ପାଣି ନିଷ୍କାସନରେ ବାଧା ସୃଷ୍ଟି କରୁଛି। କେତେକ ଡ୍ରେନ୍ ପୋତି ହୋଇଗଲାଣି। ପାଣି ନିଷ୍କାସନ ନ ହେବା ଫଳରେ ସାମାନ୍ୟ ବର୍ଷା ହେଲେ ପାଣି ଘର ଭିତରକୁ ପଶୁଛି। ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି, ହେଲେ କାମରେ କିଛି ଦେଖାଯାଉନାହିଁ। ବର୍ଷା ଦିନ ପୂର୍ବରୁ ନାଳରୁ ପଲିଥିନ୍, ପ୍ଲାଷ୍ଟିକ ବାହାର କରାଯିବା ସହିତ ପ୍ଲାଷ୍ଟିକ ପଲିଥିନ୍ ବ୍ୟବହାର କଟକଣାକୁ କାର୍ଯ୍ୟକାରୀ କରିବାକୁ ପଶ୍ଚିମ ଓଡ଼ିଶା କଲ୍ୟାଣ ସମିତି ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ପାଢ଼ୀ ଦାବି କରିଛନ୍ତି।