
ପୁରୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରେ ସାରା ରାଜ୍ୟରୁ ପ୍ରତିକ୍ରିୟା ଆସୁଛି । ଆବେଦନକାରୀଙ୍କୁ ଏକ ଲକ୍ଷ ଟଙ୍କାର ଜୋରିମାନାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜଗନ୍ନାଥ ପ୍ରେମୀ। ଜୋରିମାନାର ଅଂଶୀଦାର କେବଳ ଦୁଇ ଆବେଦନକାରୀ ନୁହଁନ୍ତି ବରଂ ସ୍ଵର ଉତ୍ତୋଳନ କରୁଥିବା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ହୋଇଛି ବୋଲି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ (ପିକୁ ) କହିଛନ୍ତି । ତେଣୁ ଜୋରିମାନା ଟଙ୍କାକୁ ଯୋଗାଡ଼ କରିବା ପାଇଁ ଲାଗି ପଡ଼ିଛନ୍ତି ଅଗଣିତ ଜଗନ୍ନାଥ ପ୍ରେମୀ। ଆଜି ପୁରୀ କଚେରୀ ସମ୍ମୁଖରେ ଜଗନ୍ନାଥ ସେନା ପକ୍ଷରୁ ଏକ ଅଭିନବ ଉପାୟରେ ଟଙ୍କା ଯୋଗାଡ କରିବାର ଚିତ୍ର ଦେଖିବାକୁ ମିଳିଛି। କଚେରୀ ସମ୍ମୁଖରେ ଜଗନ୍ନାଥ ସେନା ଆବାହକ ତଥା ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଜୋତା ପଲିସ୍ କରି ଟଙ୍କା ଯୋଗାଡ କରୁଥିବାର ଚିତ୍ର ଚର୍ଚାକୁ ଆସିଛି। ଟଙ୍କାଟିଏ ଟଙ୍କାଟିଏ କରି ଯୋଗାଡ ଅର୍ଥରେ ଜୋରିମାନା ଦିଆଯିବ। ଏ ଜୋରିମାନା ସବୁ ଜଗନ୍ନାଥ ପ୍ରେମୀଙ୍କୁ ହୋଇଛି। ଏଣୁ ସମସ୍ତେ ଏଥିରେ ସାମିଲ ହୁଅନ୍ତୁ ବୋଲି ଶ୍ରୀ ପଟନାୟକ ଆହ୍ଵାନ ଦେଇଛନ୍ତି । ଏହା ସହ ସୁପ୍ରିମକୋର୍ଟଙ୍କ ରାୟରେ ସେ ମର୍ମାହତ ବୋଲି କହିଛନ୍ତି। ଅନ୍ୟପଟରେ ଜଗନ୍ନାଥ ପ୍ରେମୀଙ୍କର ବିଜୟ ହୋଇଛି । ରାଜ୍ୟ ସରକାର ଆଉ କୌଣସି ବେଆଇନ କାର୍ଯ୍ୟ କରିବେ ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି । ପ୍ରକଳ୍ପ ଅନ୍ତର୍ଗତ ଅଭ୍ୟର୍ଥନା ଗୃହକୁ ୧୦୦ ମିଟର ବାହାରକୁ ଘୁଞ୍ଚାଯାଇଛି। ଏଥି ସହିତ ଶୌଚାଳୟ, ଇଲେକ୍ଟ୍ରିକାଲ୍ ରୁମ୍ ବ୍ୟତୀତ କୌଣସି ବଡ ନିର୍ମାଣ ଆଉ ହୋଇପାରିବନାହିଁ। ଯାହା ସମସ୍ତ ଜଗନ୍ନାଥ ପ୍ରେମୀ ଚାହୁଁଥିଲେ । ତେଣୁ, ପ୍ରକାରାନ୍ତରେ ଏ ବିଜୟ ସରକାରଙ୍କର ନୁହଁ ବରଂ ଜଗନ୍ନାଥ ଓ ଜଗନ୍ନାଥ ପ୍ରେମୀଙ୍କର ବୋଲି ଶ୍ରୀ ପଟନାୟକ ମତ ରଖିଛନ୍ତି।