ଭୁବନେଶ୍ୱର, ଆସନ୍ତା ଜୁନ୍ ୨୮ରେ ବିଦେଶ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୧୦ ବର୍ଷ ପରେ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଥମେ ଦୁବାଇ ଯିବେ ଓ ସେଠାରୁ ଇଟାଲି ଗସ୍ତ କରିବେ ବୋଲି ଜଣାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବିଦେଶଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନି ।
ସୂଚନା ଅନୁଯାୟୀ, ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇରେ ଅୟୋଜିତ ହେବାକୁ ଥିବା ଇନଭେଷ୍ଟମେଂଟ ମିଟ୍ ରେ ଯୋଗ ଦେବେ । ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ନବୀନ ପଟ୍ଟନାୟକଙ୍କ ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମ ରହିବ । ଏହା ପରେ ଉକ୍ତ ଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦୁବାଇରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଦୁବାଇ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତ କରିବେ ବୋଲି ଜଣାଯାଇଛି । ସେଠାରେ ସେ ରୋମ୍ ଇନଭେଷ୍ଟର୍ସ ମିଟ୍ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନିବେଶକଙ୍କୁ ଓଡ଼ିଶାରେ ଅଧିକ ନିବେଶ ପାଇଁ ଅନୁରୋଧ କରିବେ ନବୀନ । ଇପିକଲ୍, ଫିକି ଓ ଦୁବାଇସ୍ଥିତ ଇଣ୍ଡିଅଆନ କନସଲେଟ୍ ପକ୍ଷରୁ ଏଥିନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
ସୂଚନାଯୋଗ୍ୟ, ଶେଷଥର ପାଇଁ ୨୦୧୨ ମେ’ ମାସରେ ଲଣ୍ଡନରେ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ପ୍ୟାରୀମୋହନ ମହାପାତ୍ରଙ୍କ ‘ମିଡନାଇଟ୍ ଅପରେସନ’ ଯୋଗୁ ସେ ନିଜର ଗସ୍ତକୁ କାଂଟଛାଂଟ୍ କରି ଫେରିଆସିଥିଲେ