ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ ରାଜନୈତିକ ଶତ୍ରୁତା ଓ ଠିକାକାମକୁ ନେଇ ଦୁଇ ଯୁବକଙ୍କୁ ହତ୍ୟା ପରେ ମଧ୍ୟ ଗ୍ରାମରେ ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି । ଯାହାଫଳରେ ଗ୍ରାମରେ ପୁଣିଥରେ ପରିବେଶ ଅଶାନ୍ତ ହୋଇଉଠିଛି । ଆଙ୍କୋରଡା ପଚାଂୟତର ପୂର୍ବତନ ସରପଂଚ ଉଷାନ୍ତ ସାହୁଙ୍କୁ ଶୁଭ୍ରଜିତ ସାହୁ ନାମକ ଜଣେ ଯୁବକ ହତ୍ୟା ଧମକ ଦେବା ପରେ ଗ୍ରାମରେ ଚାପା ଉତେଜନା ସୃଷ୍ଟି ହୋଇଛି । ଏନେଇ ପୂର୍ବତନ ସରପଂଚ ଦିଗପହଣ୍ଡି ଥାନାରେ ଧମକକାରୀଙ୍କ ବିରୋଧରେ ଏତଲା କରିଛନ୍ତି ।
ଖବରନୁଯାୟୀ, ପଚାଂୟତ ନିର୍ବାଚନ ପରେ ଗ୍ରାମରେ ଉଷାନ୍ତ ସାହୁଙ୍କ ଗୋଷ୍ଠୀ ଓ ବିଜୟୀ ସରପଂଚଙ୍କ ଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତା ଓ ଠିକା କାମ ବିବାଦକୁ ନେଇ ଛକାପଞ୍ଝା ଲାଗି ରହିଥିଲା । ତେବେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଉଷାନ୍ତଙ୍କ ଗୋଷ୍ଠୀର ଦୁଇ ଯୁବକ ବାବୁ ଗୈାଡ ଓ ପ୍ରଦୀପ ସାହୁଙ୍କୁ ତୋଫାନ ଗୈାଡ ନାମକ ଯୁବକ ଛୁରୀ ଭୂଷି ହତ୍ୟା କରିଥିଲା । ଘଟଣା ଦିନ ରାତିରେ ବାବୁର ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨ ତାରିଖ ପୂର୍ବାହ୍ନରେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଉତେଜନା ଲାଗି ରହିଛି । ତେବେ ହତ୍ୟା ଘଟଣାର ସାକ୍ଷୀ ବ୍ୟକ୍ତି ମାନଙ୍କୁ ବର୍ତମାନ ବିରୋଧୀ ଗୋଷ୍ଠୀର ଯୁବକ ମାନେ ଜୀବନରେ ମାରିଦେବାକୁ ଖୁଲମଖୁଲା ଭାବେ ଚ୍ୟାଲେଞ୍ଜ କରୁଥିବା ଅଭିଯୋଗ ହେଉଛି । ବୁଧବାର ବିଳମ୍ବିତ ରାତିରେ ୪ ଟି ବାଇକରେ ବାହାରୁ ଆସିଥିବା କିଛି ଯୁବକ ଗାଁରେ ଚକ୍କର କାଟିବା ସହ ହତ୍ୟାକାଣ୍ଡ ମାମଲାରେ ସାକ୍ଷ୍ୟ ଥିବା କିଛି ବ୍ୟକ୍ତିଙ୍କ ଘର ସମ୍ମୁଖରେ ବାଇକ୍ ରଖି ଗାଁ ସାରା ପଇଁତରା ମାରିଥିଲେ । ଖବର ପାଇ ଦିଗପହଣ୍ଡି ପୋଲିସ ଗ୍ରାମରେ ପହଂଚି ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡିଛି । ଗତ ପଚାଂୟତ ନିର୍ବାଚନ ପରଠାରୁ ରାଜନୈତିକ ତିକ୍ତତାରୁ ସମଗ୍ର ପଚାଂୟତରେ ଲାଗିରହିଥିବା ଗୋଷ୍ଠୀ ବିବାଦ ଏବେ ହିଂସାକାଣ୍ଡର ରୂପ ନେବାରେ ଲାଗିଛି । ତେବେ ମାସକ ମଧ୍ୟରେ ଦିଗପହଣ୍ଡି ଅଂଚଳରେ ୪ ଜଣଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିବା ବେଳେ ଆଉ କେତେ ଯେ, ମୁଣ୍ଡ ଗଡିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବର୍ତମାନ ଜନସାଧାରଣ ଘରୁ ବାହାରକୁ ବାହାରିବାକୁ ନିଜକୁ ସୁରକ୍ଷିତ ମନେ କରୁନଥିବା ସହ ଭୟରେ ଯିବାକୁ ପଡୁଥିବା କହିଛନ୍ତି । ପୂର୍ବରୁ ନିର୍ବାଚନ ହୋଇଥିଲେ ମଧ୍ୟ ଦିଗପହଣ୍ଡି ମାଟିରେ ଏଭଳି ମନୁଷ୍ୟ କେବେ ନୃଶଂସ ହୋଇ ଜଣେ ଅନ୍ୟ ଜଣଙ୍କର ଜୀବନ ନେଉନଥିଲା । କିନ୍ତୁ, ଏବେ ରାଜନୈତିକ ଶତୃତାକୁ କେନ୍ଦ୍ର କରି ଜଣେ ଅନ୍ୟ ଜଣକର ଜୀବନ ନେବାକୁ ପଛାଉ ନାହାନ୍ତି ବୋଲି କେତେକ ସୂଚନା ଦେଇଛନ୍ତି । ଘଟଣା ସମ୍ପର୍କରେ ପଚାଂୟତର ଜନସାଧାରଣ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର, ଦକ୍ଷିଣାଚଂଳ ଡିଆଇଜି ଏବଂ ବ୍ରହ୍ମପୁର ଏସପିଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି ।
ଅନ୍ୟପକ୍ଷରେ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଏତଲାକୁ ଭିତି କରି ଥାନା ମାମଲା ନଂ.୧୯୧/୨୨ ଦଫା – ୨୯୪/୩୨୩/୩୪୧/୫୦୬ ଆଇ ପି ସି ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରୀ ରଖିଛନ୍ତି । ଇତିମଧ୍ୟରେ ଦିଗପହଣ୍ଡି ପୋଲିସ ଘଟଣାରେ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ତୋଫାନ ଗୌଡ଼ ।