
-
ତିନି ଦିନ ପରେ ବି ଚୋରଙ୍କ ଟେର୍ ପାଉନି ପୋଲିସ
ପିପିଲି, ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମରେ ଥିବା ଶ୍ରୀ ନୃସିଂହନାଥ ମନ୍ଦିରରୁ ଚୋରି ଘଟଣାର ତିନି ଦିନ ପରେ ମଧ୍ୟ ଚୋରୀ ଯାଇଥିବା ଅଷ୍ଟଧାତୁ ମୂର୍ତି, ଅଳଙ୍କାର, ଦାନବାକ୍ସକୁ ଠାବ କରିବା କିମ୍ବା ଚୋରଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଗତ ୨ ତାରିଖ ବିଳମ୍ବିତ ରାତିରେ ମନ୍ଦିରରେ ଚୋରି ହୋଇଥିଲା । ଦୁର୍ବୃତ ମାନେ ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ଭିତରେ ପଶିଥିଲେ । ୧୫ଟି ଅଷ୍ଟଧାତୁ ମୂର୍ତି, ଠାକୁରଙ୍କ ରୂପା କିରଟୀ ଏବଂ ଦାନବାକ୍ସ ଚୋରି କରିନେଇଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏ ବାବଦରେ ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତି କରି ପିପିଲି ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଜାରୀ ରଖିଛି । ତେବେ ଅଦ୍ୟାବଧି ଚୋରୀ ସାମଗ୍ରୀ ଉଦ୍ଧାର କିମ୍ବା ଚୋରଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ଅନ୍ୟପକ୍ଷରେ ଅଂଚଳରେ ପୋଲିସର ଢ଼ିଲା ପାଟ୍ରୋଲିଂ ବ୍ୟବସ୍ଥା ଯୋଗୁଁ ଏପରି ଘଟିଲା ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ସେ ଯାହା ହେଉନା କାହିଁକି, ଏ ଦିଗରେ ତଦନ୍ତକୁ ଜୋରଦାର କରିବା ସହ ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରୁ ବୋଲି ସାଧାରଣରେ ଦାବି ହେଉଛି ।