ମାଲକାନଗିରି,ମାଲକାନଗିରି ଜିଲ୍ଲା ସଦର ମହକୁମାର ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଗତ ମାସ ୩୦ ତାରିଖ ଠାରୁ ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ଦଣ୍ଡକାଳୀ ମନ୍ଦିରରେ ପୂଜା ପାଠ ସହ ହୋମ ଯଜ୍ଞ କରି ମହା ଧୁମ ଧାମରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଯାଇଛି। ମନ୍ଦିରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ଗଛର ଆବଶ୍ୟକତା ରହିଥିବା ବେଳେ ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ବନ ବିଭାଗ ଏବଂ ଜିଲ୍ଲା ସମ୍ବାଦ ସାହିତ୍ୟ ଆସର ପକ୍ଷରୁ ମନ୍ଦିର କମିଟିର ସଦସ୍ୟଙ୍କୁ ନେଇ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଶୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ବାଦ ସାହିତ୍ୟ ଆସରର ସଭାପତି ଡା. ରଞ୍ଜନ ସ୍ଵାଇଁ ଏବଂ ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ହରିସ ରୁପାଲ ଯୋଗ ଦେଇଥିଲେ । ମନ୍ଦିର କମିଟିର ସଭ୍ୟମାନେ ତଥା ସମ୍ପାଦକ ହେମନ୍ତ ମହାରଣା, କାର୍ଯ୍ୟକାରିଣୀ ସମ୍ପାଦକ ପ୍ରକାଶ ଖଟାଇ, ମନ୍ଦିର ପୂଜକ ରବୀନ୍ଦ୍ର ସାହୁ, ସୀମାଞ୍ଚଳ ପାଣିଗ୍ରାହୀ ପ୍ରମୁଖ ଆଜିର ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷକ ସୁକାନ୍ତ ସାହୁ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତାରକ ମଣ୍ଡଳଙ୍କ ସମେତ ବନ ବିଭାଗର କିଛି କର୍ମଚାରୀ ଏବଂ ଅଧ୍ୟାପକ ଡା. ଗୋକୁଳାନନ୍ଦ ପାତ୍ର, ଗୌତମ ନାୟକ, ଶିକ୍ଷୟତ୍ରୀ ପ୍ରତିମା ନାୟକ ଏବଂ ବିଜେପିର ନଗର ସମ୍ପାଦକ ମାଣିକ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ମନ୍ଦିର ପରିସରରେ ଅଂଳା, ବଉଳ, କଦମ୍ବ ଗଛ ଏହିଭଳି ଅନେକ ବୃକ୍ଷ ରୋପଣ କରିଥିଲେ । ବୃକ୍ଷ ରୋପଣ ପରେ ଶ୍ରୀ ସ୍ଵାଇଁ ଏବଂ ରେଞ୍ଜ ଅଫିସର ଶ୍ରୀ ବିଷୋୟୀ ପରିବେଶ ଦିବସ ଉପରେ ତଥା ବୃକ୍ଷ ରୋପଣର ଉପକାରିତା ଏବଂ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୃକ୍ଷ ରୋପଣ ଓ ବୃକ୍ଷର ଯତ୍ନନେବା ନିହାତି ଜରୁରୀ ବୋଲି ମଧ୍ୟ କହିଥିଲେ ।