-
ଇସ୍ତଫା ଦେଲେ ସବୁ ମନ୍ତ୍ରୀ
-
ସମ୍ଭାବ୍ୟ ମନ୍ତ୍ରୀ ମାନଙ୍କ ପାଖକୁ ଯାଉଛି ଫୋନ୍ କଲ୍
ଭୁବନେଶ୍ୱର, ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୂର୍ନଗଠନ । ଆସନ୍ତାକାଲି ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ । ରାଜଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେହିପରି କିଛି ବିଧାୟକଙ୍କୁ ନୂତନ ଭାବେ ମନ୍ତ୍ରୀ ମିଳିବାର ସମ୍ଭାବନା ରହିଛି । ଯେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ ସେମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ଫୋନ୍ ଯିବା ଆରମ୍ଭ ହୋଇଛି । ଏହାସହ ସମସ୍ତଙ୍କୁ ଭୁବନେଶ୍ୱର ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଫୋନ୍ ଯାଇଛି । ସେହିପରି ରୁଦ୍ର ମହାରଥୀ, ବାସନ୍ତୀ ହେମ୍ବ୍ରମ୍, ମନୋହର ରାନ୍ଧାରୀ ,ପ୍ରଦୀପ ଅମାତ, ରୋହିତ ପୂଜାରୀଙ୍କୁ ବି ଫୋନ୍ କଲ୍ ଯାଇଥିବା ଜଣାପଡିଛି ।
ଆଜି ସକାଳୁ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ କୁହାଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଏପରିକି କେତେଜଣଙ୍କ ପାଖକୁ ଇସ୍ତଫା ପତ୍ରର ଡ୍ରାଫ୍ଟ ଆସିଥିବା ମଧ୍ୟ ଜଣାପଡ଼ିଛି । ପୂର୍ବରୁ ୪ ପାଳି ମୁଖ୍ୟମନ୍ତ୍ରୀତ୍ୱରେ ମନ୍ତ୍ରିମଣ୍ଡଳ ପରିବର୍ତନ ସମୟରେ ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହୁଥିଲେ ନବୀନ । ମାତ୍ର ଏଥର ମନ୍ତ୍ରିମଣ୍ଡଳ ପୁର୍ନଗଠନରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଶୈଳୀ ଆପଣାଇଛନ୍ତି । ଏଥର ଏକସଙ୍ଗେ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହି ସମସ୍ତଙ୍କୁ ଚକିତ କରିଛନ୍ତି ।
ସୂଚନାଯୋଗ୍ୟ, ଏପ୍ରିଲ୍ ମାସରେ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ ମାଗିଥିଲେ । ତେଣୁ ମନ୍ତ୍ରିମଣ୍ଡଳରେ ଶୀଘ୍ର ଅଦଳବଦଳ ହୋଇପାରେ ବୋଲି କୁହାଯାଉଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହିଭଳି ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ମାଗିବା ସହ ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ । ତେଣୁ ଏବେ ସେହି ସମାନ ତରିକା ଆପଣାଇବେ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କେତେ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି, ସେମାନଙ୍କ ବିଭାଗର କେଉଁ ଯୋଜନା ଅଧିକ ଫଳପ୍ରଦ ହୋଇଛି, ଆଗାମୀ ଦିନରେ କ’ଣ କରିବାକୁ ଯୋଜନା କରିଛନ୍ତି ସେ ନେଇ ବିସ୍ତୃତ ରିପୋର୍ଟ ଦେଇଥିଲେ । ବିଶେଷ କରି ୧୫ରୁ ଊର୍ଦ୍ଧ୍ୱ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ମଙ୍ଗୁଆଳମାନଙ୍କୁ ନିରାଶ କରିଥିବାରୁ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇ ନୂଆମୁହଁଙ୍କୁ ସାମିଲ କରାଯିବ ବୋଲି ଚର୍ଚ୍ଚା ଚାଲିଛି ।