
ଭଦ୍ରକ, ଗାଡି ଚେକିଂ ବେଳେ ଏସଆଇଙ୍କ ଉପରେ ମାଡିଗଲା ହାଇୱା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ଭୋର୍ ପ୍ରାୟ ୪ଟା ସମୟରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଭଦ୍ରକ ସହରାଚଂଳ ଥାନାର ଏସଆଇ ସୁଜିତ କୁମାର ପାଣ୍ଡବ ଚରମ୍ପା ଫାଣ୍ଡିରେ କାର୍ଯ୍ୟ କରନ୍ତି । ୧୬ ନଂ ଜାତୀୟ ରାଜପଥର ଗ୍ରାମାଚଂଳ ଥାନା ଅନ୍ତର୍ଗତ ନଳାଙ୍ଗ ଛକ ଠାରେ ସେ ଡ୍ୟୁଟିରେ ଥିଲେ । ଚେକିଂ ପାଇଁ ଏକ ହାଇୱାକୁ ରହିବା ପାଇଁ ସେ ହାତ ହଲାଇ ନିର୍ଦ୍ଦେଶ ଦେଲେ । ହେଲେ ହାଇୱାଟି ଅଟକିବା ପରିବର୍ତେ ସିଧାସଳଖ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ଏସଆଇ ସୁଜିତଙ୍କ ମୃତ୍ୟୁ ଘଟିଥିଲା । ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ପୋଲିସ ହାଇୱାକୁ ଜବତ କରିବା ସହ ଏହାର ଡ୍ରାଇଭରକୁ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଚାଲିଛି ।