ଘସିପୁରା, ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା ଚୋରି ଘଟଣାର ୪୮ ଘଣ୍ଟା ପରେ ବି ପୋଲିସ ହାତ ଖାଲି ଥିବା ଜଣାପଡିଛି । ସୂଚନାରୁ ଜଣାଯାଏ, କେନ୍ଦୁଝର ଜିଲ୍ଲାର ସର୍ବପୁରାତନ ଦେଓଗାଁରେ ଥିବା କୁଶଳେଶ୍ଵର ଶୈବ ପୀଠରୁ ଭଗବାନ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା ୩୧ ତାରିଖ ମଙ୍ଗଳବାର ରାତିରେ ଚୋରୀ ହୋଇଯାଇଛି । ଏହି ପୁରାତନ ମୂର୍ତ୍ତିର ଓଜନ ୧୦ କେଜିରୁ ଉର୍ଦ୍ଧ୍ବ ହେବ ଏବଂ ଏହା ଚାନ୍ଦି ରୁପାରେ ନିର୍ମିତ
ବୋଲି ପୂଜା ପଣ୍ଡା କହନ୍ତି। ବୁଧବାର ଭୋର ସମୟରେ ପୁରୋହିତ ନୀତିକାନ୍ତି କରିବାକୁ ଆସିବା ପରେ ଦେଖିବାକୁ ପାଇଥିଲେ ଯେ ଚନ୍ଦ୍ରଶେଖର ମନ୍ଦିରର ଚାବି ଭାଙ୍ଗି ମୂର୍ତ୍ତି କିଏ ନେଇଯାଇଛି। ସବୁଠାରୁ ବଡ଼ କଥା ହେଲା ମନ୍ଦିର ନିକଟରେ ୪ ଜଣ ସେବାୟତ ଶୋଇଥିବା ବେଳେ ତାଲା ଭାଙ୍ଗିବା ବେଳେ କିପରି ସେମାନେ ଜାଣିପାରିଲେ ନାହିଁ ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ତେବେ ଭଗବାନ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା ଚୋରି ହୋଇ ଥିବାରୁ ଆସ୍ତାନରେ ଗୁଆ ଆବାହନ କରି ମନ୍ଦିରର ନୀତିକାନ୍ତି ଚଳାଇଥିବା ମନ୍ଦିରର ନିର୍ବାହୀ ସହାୟକ ଉମାକାନ୍ତ ବେହେରା ପ୍ରକାଶ କହିଛନ୍ତି।
ଏ ସଂପର୍କରେ ଘସିପୁରା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କୁ ପଚାରିବାରୁ ଏ ପର୍ଯ୍ୟନ୍ତ କେହି ଧରାପଡିନ ଥିବା ବେଳେ କିଛି ଲୋକଙ୍କୁ ନଜରବନ୍ଦିରେ ରଖି ତଦନ୍ତ ଚଳାଇଥିବା କହିଛନ୍ତି ।