ପୁରୀ, ପୁରୀ ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାନ୍ଜାର ପର୍ବତ ଶୃଙ୍ଗ ଆରୋହଣ ଲକ୍ଷ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟଙ୍କୁ ପୁଷ୍ପ ଗୁଛ ଉତ୍ତରୀୟ ପ୍ରଦାନ କରିଥିଲେ। ଏଥିସହିତ ଯାତ୍ରାର ଶୁଭାରମ୍ଭ କରିବା ସହ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଥିଲେ। ଚିନ୍ମୟ ଚଳିତ ମାସ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକାର କିଲିମାନ୍ଜା ଶୃଙ୍ଗର ୧୯,୩୪୧ ଫୁଟ ଆରୋହଣ କରିବା ସହ ପର୍ବତ ଶିଖରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶର ପଟ୍ଟଚିତ୍ର ଓ ଜାତୀୟ ପତାକାକୁ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସାଉଥ୍ ଆଫ୍ରିକାର ଟୁର୍ ଆଣ୍ଡ ସଫାରୀ ପକ୍ଷରୁ ତାଙ୍କୁ ଅନୁମତି ପତ୍ର ମଧ୍ୟ ପ୍ରାପ୍ତ ହୋଇଛି। ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଖଣି ନିଗମ ପକ୍ଷରୁ ତାଙ୍କୁ ସହଯୋଗ ପ୍ରଦାନ କରାଯାଇଛି। ସେହିପରି ଖେଲୋ ଇଣ୍ଡିଆ ପାଇଁ ଜିଲ୍ଲାରୁ ୧୮ ବର୍ଷରୁ କମ୍ ବର୍ଗରେ ସୌମ୍ୟରଞ୍ଜନ ଦାଶ ଓ ସତ୍ୟ ନାରାୟଣ ବେହେରା ହରିୟଣାର ପଚଂକୁଲାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିବାରୁ ଜିଲ୍ଲାପାଳ ପୁଷ୍ପ ଗୁଛ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଆନ୍ତର୍ଜାତୀୟ ପର୍ବତାରୋହୀ ଗଣେଷ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।
ପୂର୍ବରୁ ଶ୍ରୀ ମହାରଣା ପର୍ବତାରୋହଣ କୋର୍ସ୍ କରିବା ପରେ ହିମାଚଳ ପ୍ରଦେଶର ସେତଧାରା, ମନାଲିର ଲାମ୍ବାଡୁଗ, ରାଣିସୁଇ, ଲାଦାଖର ଷ୍ଟକ୍ କାଂଗ୍ରି, ହିମାଳୟ ସିକିମର ପାଲୁଗଂ-୨ ଓ ୟୁନମ, ଉତ୍ତର କାଶୀର ଦରୱା ଓ ରୁଡୁ ଗଇରା ଶିଖରକୁ ସଫଳତାର ସହ ଅତିକ୍ରମ କରିଥିଲେ।