
ଝାରସୁଗୁଡା/ଭୁବନେଶ୍ୱର, ବ୍ରଜରାଜନଗରରେ ବିପୁଳ ଭୋଟରେ ବାଜିମାତ କରିଛି ବିଜେଡି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା ମହାନ୍ତି । ଅପରପକ୍ଷରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସିଛନ୍ତି । ତେବେ ବିଜୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇନାହିଁ ।
ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୯୩,୭୯୦ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ମିଳିଛି ୨୭,୫୬୫ ଖଣ୍ଡ ଭୋଟ୍ । ଅପରପକ୍ଷରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨,୩୧୬ ଖଣ୍ଡ ଭୋଟ୍ ପାଇଛନ୍ତି । ଉଲ୍ଲେଖଯୋଗ୍ୟ, ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ । କିଶୋର ମହାନ୍ତିଙ୍କ ବିୟୋଗ ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ଅପରପକ୍ଷରେ ବିଜୟୀ ହେବା ପରେ ଅଳକା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଭରସା, କର୍ମୀଙ୍କ ଉତ୍ସାହ ଯୋଗୁ ବ୍ରଜରାଜନଗରବାସୀ ତାଙ୍କୁ ବିପୁଳ ଭୋଟ ଦେଇଛନ୍ତି । ଏବେ ସ୍ୱାମୀଙ୍କ ଅଧୁରା କାମ ପୂରଣ କରିବା ପ୍ରାଥମିକତା ହେବ ବୋଲି ସେ କହିଛନ୍ତି । ମୋ’ ସ୍ୱାମୀ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ଥିବାରୁ ମୁଁ ବି ସକ୍ରିୟ ରହିବି ବୋଲି ଗଣମାଧ୍ୟମକୁ କହିଛନ୍ତି ଅଳକା ।