
ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ସହର ବିଭିନ୍ନ ସମସ୍ୟାରେ ଗତି କରୁଛି । ଏଠାରେ ବିପର୍ଯ୍ୟସ୍ତ ରାସ୍ତା ସହ ବୁଲା ଗାଈଗୋରୁ ଏବଂ କୁକୁରଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ସହରରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ବହୁ ମୂଲ୍ୟବାନ ଜୀବନ ଚାଳି ଯାଉଥିବା ଦେଖିବାକୁ ମିଳିଛି । ତଥାପି ପ୍ରଶାସନିକ କ୍ଷେତ୍ରରେ ପଦ କ୍ଷେପ ଗ୍ରହଣ କରାଯାଉନାହିଁ । ଏହି ସହର ମଧ୍ୟରେ କାର୍ଯ୍ୟରତ ବିଜ୍ଞାପିତ ଅଞ୍ଚଳ ପରିଷଦ ଦୃଷ୍ଟି ଦେଉନାହିଁ । ଫଳରେ ସହରର ରାସ୍ତାଘାଟ ସମସ୍ୟା ଦିନକୁ ଦିନ ସୁଧୁରିବା ବଦଳରେ ବିଗିଡିବାରେ ଲାଗିଛି । ଏହାସହ ଦିନକୁ ଦିନ ଗାଈଗୋରୁ, କୁକୁରଙ୍କ ଉତ୍ପାତ କମିବା ବଦଳରେ ବଢିବାରେ ଲାଗୁଥିବା ଅଭିଯୋଗ ହେଉଛି । ଜିଲାର ପ୍ରମୁଖ ସହର ଖଡିଆଳ ହୋଇଥିବା ବେଳେ ଏହି ସହର ଉପରେ ପ୍ରତିଦିନ ଶହ ଶହ ଲୋକଙ୍କ ଭୀଡ ଲାଗି ରହିଥାଏ । ଏହା ସହ ଏହର ମଧ୍ୟ ଦେଇ ୩୫୩ ନଂ ଜାତୀୟ ରାଜପଥ ରାୟପୁର-ଗୋପାଲପୁର ଜାତୀୟ ରାଜପଥ ଯାଇଥିବାରୁ ଶହ ଶହ ସଂଖ୍ୟାରେ ଭାରୀଯାନ ଯିବାଆସିବା କରିଥାଏ । କିନ୍ତୁ ସହରର ଆମ୍ବେଦକର ଛକରୁ ଆରମ୍ଭ କରି ଥାନାଛକ, ଗୁରୁନାନକ ଛକ, ବ୍ଲକ ଛକ, ବୋଡେନ ଛକ ମାନଙ୍କରେ ବୁଲା ଗାଈଗୋରୁ ରାସ୍ତାରେ ଶୋଇ ରହୁଥିବାରୁ ଅନେକ ସମୟରେ ବାଟୋଇଙ୍କୁ ଅସୁବିଧା ହେଉଛି । ଏହାସହ ଏମାନଙ୍କ ଦୌରାମ୍ୟ ଯୋଗୁଁ ଦୁର୍ଘଟଣାମାନ ଘଟୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଲୋକେ ବୁଲା ଗାଈଗୋରୁ ସହ ବିପର୍ଯ୍ୟସ୍ତ ରାସ୍ତାକୁ ଦୋଷ ଦେଉଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହରରେ ଥିବା ସମସ୍ୟା ସବୁର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।