-
ମାସକରେ ୫୪ ଗିରଫ, ୩୭ ଗାଡି ଜବତ
ଗଞ୍ଜାମ,ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ମଦୁଆ ଗାଡି ଚାଳକଙ୍କ ଉପରେ ରୋକ୍ ଲଗାଇବା ପାଇଁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସହରରେ ଏକ ସ୍ଵତନ୍ତ୍ର ଅଭିଯାନ ଏକ ମାସ ଧରି ଜାରୀ ରହିଛି । ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ନିୟମିତ ବ୍ଲକିଂ ଓ ଚେକିଂ ହେଉଛି । ମାସକ ମଧ୍ୟରେ ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ୫୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୩୭ଟି ଗାଡି ଜବତ କରିଥିବା ନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରୀ ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ।
ଅନ୍ୟପକ୍ଷରେ ଜନସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ପୋଲିସ ପକ୍ଷରୁ ଉଦ୍ୟମ ହେଉଛି । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ନକରିବା ଓ ସିଗାରେଟ ନଟାଣିବା ପାଇଁ ପରାମର୍ଶ ଦିଆଯାଉଛି । ସହରର ସ୍ଥାନେ ସ୍ଥାନେ ଏନେଇ ପୋଷ୍ଟର ଲଗାଯାଇଛି । ମଦ୍ୟାପାନ କରି ଗାଡି ଚଳାଉଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏଥିରେ ବହୁ ଧନ ଜୀବନ ହାନି ଘଟୁଛି । ତେଣୁ ଏଥିରେ ରୋକ୍ ଲଗାଇବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଏଭଳି ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ।